ଏଣିକି ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ତଣ୍ଡ
ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି। ଏଣିକି ଶବ୍ଦ ପ୍ରଦୂଷଣ କଲେ ତଣ୍ଡ ଗଣିବେ ୧ ଲକ୍ଷ ଟଙ୍କା। ଶବ୍ଦ ପ୍ରଦୂଷଣ ମାମଲାକୁ ନେଇ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଜରିମାନା ପରିମାଣରେ ସଂଶୋଧନ ଘୋଷଣା କରିଛି। ନୂଆ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ପରେ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ କୌଣସି ବ୍ୟକ୍ତିବିଶେଷ ବାଣ ଫୁଟାଇଲେ ୧୦୦୦ ଟଙ୍କା ଜରିମାନା ଦେବେ ଏବଂ ନିରବ ସ୍ଥାନରେ ବାଣ ଫୁଟାଇଲେ ୩୦୦୦ ଟଙ୍କା ତଣ୍ଡ ଗଣିବେ। ସେହିପରି ଯଦି କୌଣସି ରାଲି, ବିବାହ କିମ୍ବା ଧାର୍ମିକ ମହୋତ୍ସବରେ ବାଣ ଫୁଟାଇବା ନିୟମ ଉଲ୍ଲଂଘନ କରାଯାଏ, ତେବେ ଏହି କାର୍ୟ୍ୟକ୍ରମର ଆୟୋଜକ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ ୧୦,୦୦୦ ଟଙ୍କା ଏବଂ ଖାଲି ସ୍ଥାନରେ ଫୁଟାଉଥିଲେ ୨୦,୦୦୦ ଟଙ୍କା ଦେବାକୁ ପଡିବ। ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ ହେଲେ ଜରିମାନା ପରିମାଣ ୨ ଗୁଣା ବଢିଯିବ। ଅର୍ଥାତ୍ ୪୦,୦୦୦ ଟଙ୍କାକୁ ଦେବାକୁ ପଡ଼ିବ। ଯଦି ଦୁଇଥରରୁ ଅଧିକ ନିୟମ ଉଲ୍ଲଂଘନ କରାଯାଏ, ତେବେ ସଂଶୋଧିତ ନିୟମ ଅନୁଯାୟୀ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସେହି ଅଞ୍ଚଳକୁ ସିଲ୍ କରାଯିବ ।
ସୂଚନା ଯେ, ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କଲେ ଉପକରଣକୁ ସିଲ୍ କରିବା ସହିତ ୧୦,୦୦୦ ଟଙ୍କା ଜରିମାନା ନିଆଯିବ । ୧୦୦୦ କେଭିଏର ଜେନେରେଟର ସେଟ ଶବ୍ଦ ପ୍ରଦୂଷଣ କରୁଥିଲେ ୧ ଲକ୍ଷ ଟଙ୍କା ଜରିମାନା ସହ ଜେନେରେଟରକୁ ସିଲ୍ କରାଯିବ । ଆବାସିକ କିମ୍ବା ବାଣିଜ୍ୟିକ ସ୍ଥାନରେ ବାଣ ଫୁଟାଇଲେ ଏକ ହଜାର ଟଙ୍କାର ଜରିମାନା ଦେବେ । ସାଇଲେଣ୍ଟ ଜୋନରେ ବାଣ ଫୁଟାଇଲେ ତିନି ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଜନସମାବେଶ, ଶୋଭାଯାତ୍ରା, ବିବାହ ସମାରୋହ, ଧାର୍ମିକ ସମାରୋହରେ ଶବ୍ଦ ପ୍ରଦୂଷଣ କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସାଇଲେଣ୍ଟ ଜୋନରେ ଜନ ସମାବେଶ, ଶୋଭାଯାତ୍ରା, ବିବାହ ସମାରୋହ, ଧାର୍ମିକ ସମାରୋହରେ ଶବ୍ଦ ପ୍ରଦୂଷଣ କଲେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।
