ନାରୀମାନେ ଶୃଙ୍ଖଳିତ ହେଲେ ସୁସ୍ଥ ସମାଜ ଗଠନ ସହଜ ହେବ- ଶ୍ରୀ’ମା
କେନ୍ଦ୍ରାପଡ଼ା : ଏକ ସୁସ୍ଥ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନେ ଶୃଙ୍ଖଳିତ ହେଲେ ସୁସ୍ଥ ସମାଜ ଗଠନ ସହଜ ହୋଇପାରିବ ବୋଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଉଦଘାଟନ କରି ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି । ପ୍ରାତଃକାଳରୁ ଶଯ୍ୟା ତ୍ୟାଗକରି ସ୍ନାନାଦି କର୍ମ ସାରି ଗୀତା,ଭାଗବତ ପାଠ ପୂର୍ବକ ତୁଳସୀ ବୃକ୍ଷ ମୂଳରେ ଜଳଲାଗି କରିବା ଉଚିତ । ପରେ ପିତାମାତାଙ୍କ ସେବା କରିବା ପରେ ସ୍ୱାମୀଙ୍କୁ ଈଶ୍ୱର ଜ୍ଞାନରେ ସେବା କରି ଏକ ପତିବ୍ରତା ନାରୀ ଭାବେ ନିଜକୁ ଗଢିପାରିଲେ ନିଜ ପରିବାର ବଦଳିବା ସହିତ ସମାଜ, ଗ୍ରାମ, ପଞ୍ଚାୟତ, ଜିଲ୍ଲା ଓ ଦେଶ ବଦଳିବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀମା କହିଥିଲେ । ଆମ ଦେଶମାତୃକାର ରକ୍ଷା କରିବା ପାଇଁ ପୂର୍ବ ସ୍ୱରୀମାନେ ସେମାନଙ୍କ ଜୀବନକୁ ଯେଭଳି ଭାବେ ବଳି ଦେଇଯାଇଛନ୍ତି ଆମେ ଆମର ପିଲାମାନଙ୍କୁ ଦେଶ ରକ୍ଷା ନିମନ୍ତେ ସେମାନଙ୍କ ଜୀବନ ଦେବାକୁ ପ୍ରେରଣା ପ୍ରଦାନ କରିବା ଉଚିତ । ଏକ ନିଶାମୁକ୍ତ ରାଜ୍ୟ ଗଠନରେ ନିଜକୁ ସାମିଲ କରି ଏକ ସୁସ୍ଥ ସମାଜ ଓ ସୁସ୍ଥ ଭାରତ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସରୋଜିନୀ କବି, ଧ୍ରୁବ ଚରଣ ପାତ୍ର, ଶରତ ଚନ୍ଦ୍ର ପାତ୍ର, ଅରକ୍ଷିତ ପରିଡା, ମାନସ କୁମାର ପରିଡା, ଶ୍ରୀଧର ରାଉତ, ହେମନ୍ତ ପ୍ରଧାନଙ୍କ ସମେତ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ଥିଲେ ।
