ଲୋକାର୍ପିତ ହେଲା ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉପକୃତ ହେବେ ମେଧାବୀ ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭୁବନେଶ୍ବର ଅନ୍ଧାରୁଆରେ ପ୍ରତିଷ୍ଠା କରାଯାଇଥିବା ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ । ଭୁବନେଶ୍ୱର ଅନ୍ଧାରୁଆରେ ୨୫ ଏକର ଜମିରେ ଏହି ପ୍ରତିଷ୍ଠା ହୋଇଛି ଆଇକନିକ ଆଦର୍ଶ ବିଦ୍ୟାଳୟ । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଉ ଏକ ମାଇଲଖୁଣ୍ଟ ହେବ । ରାଜ୍ୟରେ ସବୁ ୩୧୪ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟର ବଛାବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାର ସୁଯୋଗ ପାଇବେ ।
ରୂପାନ୍ତରଣରେ ସଜେଇ ହୋଇଛି ଓଡ଼ିଶା। ବିଭିନ୍ନ ବିଭାଗକୁ ସମୃଦ୍ଧ କରିବା ସହ ରାଜ୍ୟକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ତେବେ ଶିକ୍ଷା ସମୃଦ୍ଧ ଧାରାରେ ଯୋଡ଼ି ହେଉଛି ନୂଆ ଏକ ଅଧ୍ୟାୟ। ଅନ୍ଧାରୁଆ ଭୁବନେଶ୍ୱରରେ ‘ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଇଥିଲା ବେଳେ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟରେ ବର୍ତ୍ତମାନ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ଏକ ନୂତନ ମାଇଲ ଖୁଣ୍ଟ ହେବ। ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ ଲେଖାଏ, ସମୁଦାୟ ୧୦୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ ।ଏହି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍ , ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସଂପନ୍ନ କମ୍ପ୍ୟୁଟର ପ୍ରୟୋଗଶାଳା ପ୍ରତିଷ୍ଠା ହେବା ସହିତ ସମଗ୍ର ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ କରାଯିବ। ଗୁଣାତ୍ମକ ଶିକ୍ଷା ସହିତ ଜଣେ ଟିମ୍ ଲିଡରଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ସଫଳତା ପାଇଁ ସହାୟତା କରିବେ । ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ବାରା ଉପକୃତ ହେବେ। ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଏକ ରୋଲ ମଡେଲ ହେବ ବୋଲି ଆଶା କରାଯାଉଛି ।
ସୂଚନା ଯେ, ଆଇକନିକ ଆଦର୍ଶ ଓଡ଼ିଆ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦୨୧ରେ ନିଷ୍ପତ୍ତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ୨୦୨୧ ମସିହା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଏଥିପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ।
