ଆଇସିସିର ଟେଷ୍ଟ ଟିମ୍ : ତିନି ଭାରତୀୟ ସାମିଲ, ସ୍ଥାନ ପାଇଲେନି କୋହଲି
ନୂଆଦିଲ୍ଲୀ : ୨୦୨୧ ବର୍ଷ ପାଇଁ ଆଇସିସି ପୁରୁଷ ଟେଷ୍ଟ ଟିମ୍ ଅଫ୍ ଦି ଇୟର ଘୋଷଣା କରିଛି । ଏହି ଟିମରେ ଭାରତର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ରୋହିତ୍ ଶର୍ମା, ଋଷଭ ପନ୍ତ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ । ତେବେ ଟେଷ୍ଟ ଟିମରେ ଭାରତର ତାରକା ବ୍ୟାଟର୍ ବିରାଟ୍ କୋହଲିଙ୍କୁ ସ୍ଥାନ ମିଳିନାହିଁ । ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ ଏହି ଟେଷ୍ଟ ଟିମର କ୍ୟାପଟେନ୍ ହୋଇଛନ୍ତି । ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ଗତବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଭାରତକୁ ପରାସ୍ତ କରିଥିଲା । ତିନି ଭାରତୀୟଙ୍କ ବ୍ୟତୀତ ଏହି ସ୍କ୍ୱାଡରେ ନ୍ୟୁଜିଲ୍ୟାଣ୍ଡର ଦୁଇ, ପାକିସ୍ତାନର ତିନି, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଶ୍ରୀଲଙ୍କାର ଜଣେ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି ।
ସୀମିତ ଓଭର ଫର୍ମାଟ୍ ପରେ ରୋହିତ୍ ଟେଷ୍ଟ କ୍ରିକେଟରେ ଓପନ୍ କରି ବେଶ୍ ସଫଳ ହୋଇଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪୭.୬୮ ହାରରେ ୯୦୬ ରନ୍ କରିଛନ୍ତି । ୨୦୨୧ ବର୍ଷରେ ସେ ଦୁଇଟି ଯାକ ଶତକ ଇଂଲଣ୍ଡ ବିପକ୍ଷରେ ମାରିଥିଲେ । ଗୋଟିଏ ସେ ଚେନ୍ନାଇ ଏବଂ ଅନ୍ୟଟି ଓଭାଲରେ ହାସଲ କରିଥିଲେ । ୨୦୨୨ ବର୍ଷରେ ରୋହିତ୍ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ବହନ କରିପାରନ୍ତି । ସେହିପରି ପନ୍ତ ବର୍ତମାନ ତିନୋଟି ଯାକ ଫର୍ମାଟରେ ଭାରତର ପ୍ରଥମ ପସନ୍ଦର ୱିକେଟକିପର ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ୨୦୨୧ରେ ସେ ୧୨ ଟେଷ୍ଟ ଖେଳି ୩୯.୩୬ ହାରରେ ୭୪୮ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ସାମିଲ ଅଛି । ଅହମଦାବାଦରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ପନ୍ତ ଏହି ଶତକ ମାରିଥିଲେ । ସେ ୨୩ ଇନିଂସରେ ନିଜ ଗ୍ଲୋଭସରେ ୩୯ ଶିକାର ମଧ୍ୟ କରିଛନ୍ତି । ଭେଟେରାନ୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଛନ୍ତି । ୨୦୨୧ରେ ସେ ୯ ମ୍ୟାଚରେ ୧୬.୬୪ ହାରରେ ୯ ୱିକେଟ୍ ହାସଲ କରିଥିଲେ । ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ତାଙ୍କର ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ଥିଲା । କେବଳ ବୋଲିଂ ନୁହେଁ ଅଶ୍ୱିନ୍ ୨୫.୩୫ ହାରରେ ୩୫୫ ରନ୍ କରିଛନ୍ତି, ଯେଉଁଥିରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଶତକ ମଧ୍ୟ ସାମିଲ୍ ଅଛି ।
ଆଇସିସି ପୁରୁଷ ଟେଷ୍ଟ ଟିମ୍ ଅଫ୍ ଦି ଇୟ;ର୍ ଦିମୁତ କରୁଣାରତ୍ନେ (ଶ୍ରୀଲଙ୍କା), ରୋହିତ୍ ଶର୍ମା (ଭାରତ), କେନ୍ ୱିଲିୟମସନ୍ (କ୍ୟାପଟେନ୍, ନ୍ୟୁଜିଲ୍ୟାଣ୍ଡ), ମାର୍ନସ୍ ଲାବୁଶେନ୍ (ଅଷ୍ଟ୍ରେଲିଆ), ଫୱାଦ୍ ଆଲମ୍ (ପାକିସ୍ତାନ), ଋଷଭ ପନ୍ତ (ଭାରତ), ରବିଚନ୍ଦ୍ରନ୍ ଅଶ୍ୱିନ୍ (ଭାରତ), କାଇଲ୍ ଜେମିସନ୍ (ନ୍ୟୁଜିଲ୍ୟାଣ୍ଡ), ଶାହୀଦ୍ ଶାହ ଆଫ୍ରିଦି (ପାକିସ୍ତାନ), ହାସନ୍ ଅଲୀ (ପାକିସ୍ତାନ) ।
