ଆଇସିସିର ବ୍ୟାପକ ପରିବର୍ତ୍ତନ : ଟି-୨୦ରେ ଡ୍ରିଙ୍କ୍ସ ବ୍ରେକ୍ ସହ ଓଭର୍ ରେଟ୍ ଜୋରିମାନା
ଦୁବାଇ : ଟି-୨୦ କ୍ରିକେଟ୍କୁ ଆହୁରି ରୋମାଞ୍ଚକର ଓ ଶୃଙ୍ଖଳିତ କରିବା ସକାଶେ ଆଇସିସି ପକ୍ଷରୁ ଏହି ଫର୍ମାଟ୍ରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏନେଇ ଶୁକ୍ରବାର ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ନୂଆ କରି ଲାଗୁ ହୋଇଥିବା ନିୟମ ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ରେ ଉଭୟ ଇନିଂସରେ ଥରେ ଲେଖାଏଁ ଡ୍ରିଙ୍କ୍ସ ବ୍ରେକ୍ ଓ ମନ୍ଥର ଓଭର୍ ରେଟ୍ ପାଇଁ ଜୋରିମାନା କରାଯିବା ସପକ୍ଷରେ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ନିୟମ ଆଗାମୀ ୱେଷ୍ଟ୍ଇଣ୍ଡିଜ୍-ଆୟରଲାଣ୍ଡ୍ ଦ୍ୱିପାକ୍ଷିକ ଟି-୨୦ ସିରିଜ୍ରୁ ଲାଗୁ ହେବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଇସିସିର ଧାରା ୨.୨୨ ଅଧିନରେ ମନ୍ଥର ଓଭର୍ ରେଟ୍ ପାଇଁ ସମ୍ପୃକ୍ତ ଟିମ୍କୁ ଜୋରିମାନା କରାଯିବ। ଆଇସିସି ପକ୍ଷରୁ ଧାର୍ଯ୍ୟ ସମୟରେ କୌଣସି ଇନିଂସର ପ୍ରଥମ ବଲ୍ ବୋଲିଂ କରାଯିବା ସହ ଧାର୍ଯ୍ୟ ସମୟରେ ଓଭର୍ ଶେଷ କରାଯିବା ବାଧ୍ୟତାମୂଳକ ବୋଲି ଜାରି ଏକ ବିବୃତିରେ କୁହାଯାଇଛି।
ସୂଚନା ଯେ, ଆଇସିସି ଦ୍ୱାରା ଧାର୍ଯ୍ୟ ସମୟରେ ଇନିଂସ ଆରମ୍ଭ ଓ ଶେଷ କରିବାରେ ଯେଉଁ ଟିମ୍ ବିଫଳ ହେବ, ଉକ୍ତ ଟିମ୍କୁ ଜୋରିମାନା ଭାବେ ୩୦ ୟାର୍ଡ ସର୍କଲ୍ ବାହାରେ ଜଣେ କମ୍ ଫିଲ୍ଡରଙ୍କୁ ଫିଲ୍ଡିଂ କରିବାର ଅନୁମତି ମିଳିବ। ଆଇସିସି କ୍ରିକେଟ୍ କମିଟି ପକ୍ଷରୁ ନିକଟରେ ଏପରି ସୁପାରିସ୍ ହୋଇଥିବା ବେଳେ ଏବେ ଏହାକୁ କାର୍ଯ୍ୟକାରୀ କରାଯିବା ସକାଶେ ନିଷ୍ପତ୍ତି ହୋଇଛି। ସେହିପରି କୌଣସି ଅନ୍ତର୍ଜାତୀୟ ଟି-୨୦ର ପ୍ରତିଟି ଇନିଂସର ମଧ୍ୟଭାଗରେ ଅଢ଼େଇ ମିନିଟ୍ର ଡ୍ରିଙ୍କ୍ସ ବ୍ରେକ୍କୁ ଅନୁମତି ଦିଆଯାଇଛି।
