ଆଇସିସି ମାନ୍ୟତା : ଟେଷ୍ଟ ଟପ୍-୨୦ରେ ଯଶସ୍ୱୀ, ଦିନିକିଆ ଟପ୍-୫ରେ ୩ ଭାରତୀୟ
ଦୁବାଇ : ଆଇସିସି ପକ୍ଷରୁ ପ୍ରକାଶ ପାଇଲା ଟେଷ୍ଟ ଓ ଦିନିକିଆ ମାନ୍ୟତା । ମୋଟାମୋଟି ଟେଷ୍ଟ ଓ ଦିନିକିଆ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କୁ ବେଶ ଫାଇଦା ମିଳିଛି। ଟେଷ୍ଟ ମାନ୍ୟତାରେ ଯଶସ୍ଵୀ ଜୟସ୍ଵାଲଙ୍କ ଜଲଓ୍ଵା। ଇଂଲଣ୍ଡ ବିପକ୍ଷ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିବା ପରେ ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ୧୪ଟି ସ୍ଥାନ ଲମ୍ଫ ସହ ଆଇସିସି ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ରେ ପ୍ରବେଶ କରିଛନ୍ତି । ସେ ବ୍ୟାଟିଂ ମାନ୍ୟତାରେ ବର୍ତ୍ତମାନ ୧୫ତମ ସ୍ଥାନରେ ଅଛନ୍ତି।ଏହା ସହିତ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିଛି। ଟପ୍-୫ରେ ହିଁ ଭାରତ ତିନି ଜଣ ବ୍ୟାଟର ଶୁଭମନ ଗିଲ୍, ବିରାଟ କୋହଲି ଓ ରୋହିତ ଶର୍ମା ରହିଛନ୍ତି।
ଲଗାତାର ଦୁଇଟି ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୭ କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଥିଲେ ଜୈସୱାଲ । ଏହି ୨୨ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରମାଗତ ଦୁଇ ଟେଷ୍ଟ ଶତକ ହାସଲ କରିବାରେ ବିନୋଦ କାମ୍ବଲି ଓ ବିରାଟ କୋହଲିଙ୍କ ପରେ ତୃତୀୟ ଭାରତୀୟ ହୋଇଥିଲେ।
ବିଶାଖାପାଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଜୈସୱାଲ ୨୦୯ ରନ୍ କରିଥିଲେ। ଏହା ପରେ ସେ ରାଜକୋଟରେ ଦ୍ୱିତୀୟ ଇନିଂସରେ ଅପରାଜିତ ୨୧୫ ରନର ଚମତ୍କାର ପାଳି ଖେଳିଥିଲେ। ତାଙ୍କର ଏହି ଇନିଂସ୍ ସହାୟତାରେ ସେହି ଟେଷ୍ଟରେ ଇଂଲଣ୍ଡକୁ ରେକର୍ଡ ୪୩୪ ରନରେ ହରାଇ ଭାରତ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ରନ୍ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ଭାରତର ଏହା ସର୍ବବୃହତ ବିଜୟ ।
ରାଜକୋଟ ଟେଷ୍ଟରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିବା ଓ ପ୍ରଥମ ଇନିଂସରେ ୧୧୨ ରନର ପାଳି ଖେଳିଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟିଂ ମାନ୍ୟତାରେ ଉପରକୁ ଉଠିଛନ୍ତି। ସେ ୪୧ତମ ସ୍ଥାନରୁ ୩୪ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହାଛଡ଼ା ଜାଡେଜା ରାଜକୋଟ୍ ଟେଷ୍ଟରେ ୭ଟି ୱିକେଟ୍ ମଧ୍ୟ ନେଇଥିଲେ । ଫଳରେ ସେ ବୋଲିଂ ର଼୍ୟାଙ୍କିଙ୍ଗରେ ତିନୋଟି ସ୍ଥାନ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ରାଜକୋଟରେ ୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ସାମିଲ ହୋଇଥିବା ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ଜାଡେଜା ଏବଂ ଅଶ୍ୱିନ ପ୍ରଥମ ଦୁଇଟି ସ୍ଥାନ ଅକ୍ତିଆର କରିଛନ୍ତିି। ଜାଡେଜା ୪୧୬ରୁ ୪୬୯ ପର୍ଯ୍ୟନ୍ତ କ୍ୟାରିୟରର ଶ୍ରେଷ୍ଠ ରେଟିଂ ସହ ଅଲରାଉଣ୍ଡର ତାଲିକାରେ ନିଜର ସ୍ଥାନ ସୁଦୃଢ କରିଛନ୍ତିି । ସେହିପରି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ମାନ୍ୟତାରେ ଗୋଟିଏ ପାଦ ଆଗେଇ ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ସେ ରାଜକୋଟରେ ପ୍ରଥମ ଇନିଂସରେ ୧୩୧ ରନ୍ କରିଥିଲେ। ଦ୍ବିତୀୟ ଇନିଂସରେ ୯୧ ରନ୍ କରିଥିବା ଶୁଭମାନ ଗିଲ ତିନୋଟି ସ୍ଥାନ ହାସଲ ସହ ୩୫ତମ ସ୍ଥାନରେ ରହିଛନ୍ତି। ଡେବ୍ୟୁାଣ୍ଟ ସରଫରାଜ ଖାନ ଏବଂ ଧ୍ରୁଭ ଜୁରେଲ ଯଥାକ୍ରମେ ୭୫ ଓ ୧୦୦ତମ ସ୍ଥାନ ସହ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରବେଶ କରିଛନ୍ତି । ନିଜ ଡେବ୍ୟୁ ଟେଷ୍ଟରେ ସରଫରାଜ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ଯଦିଓ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ସିରିଜ ଖେଳୁନାହାଁନ୍ତି, ତଥାପି ସେ ଶ୍ରେଷ୍ଠ ୧୦ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସପ୍ତମ ସ୍ଥାନରେ ଅଛନ୍ତି।
ଟେଷ୍ଟ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ ୮୯୩ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଷ୍ଟିଭ୍ ସ୍ମିଥ୍(୮୧୮ ପଏଣ୍ଟ) ଦ୍ଵିତୀୟ, ଡାରିଲ ମିଚେଲ୍(୭୮୦ ପଏଣ୍ଟ) ତୃତୀୟ, ବାବର ଆଜମ(୭୬୮ ପଏଣ୍ଟ) ଚତୁର୍ଥ ଓ ଇଂଲଣ୍ଡର ଜୋ ରୁଟ୍(୭୬୬ ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛନ୍ତି।
ଦିନିକିଆରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ୮୨୪ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି। ଭାରତୀୟ ଓପନର ଶୁଭମନ ଗିଲ୍(୮୦୧ ପଏଣ୍ଟ) ଦ୍ଵିତୀୟରେ ଅଛନ୍ତି। ସେହିପରି ବିରାଟ କୋହଲି(୭୬୮ ପଏଣ୍ଟ) ତୃତୀୟ ଓ ରୋହିତ ଶର୍ମା(୭୪୬ ପଏଣ୍ଟ) ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଲିକାରେ ଉପରକୁ ଉଠି ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ ୭୨୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।
