ଆଇସିସି ଦିନିକିଆ ରାଙ୍କିଙ୍ଗ : ଇଣ୍ଡିଆର ୩ ଷ୍ଟାର ଖେଳାଳିଙ୍କୁ ଶକ୍ତ ଝଟ୍କା
୧ନଂ ସ୍ଥାନ ହରାଇଲେ ବୁମ୍ରା, ତଳକୁ ଖସିଲେ ବିରାଟ ଓ ରୋହିତ
ଦୁବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜିତିଥିଲେ ମଧ୍ୟ ଆଇସିସି ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ୩ ଷ୍ଟାର ଖେଳାଳିଙ୍କୁ ଶକ୍ତ ଝଟ୍କା ଲାଗିଛି । ଆଇସିସିର ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରୁ ତଳକୁ ଖସି ଯାଇଛନ୍ତି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବ୍ୟାଟିଂ ରାଙ୍କିଙ୍ଗରେ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସିଛନ୍ତି ।
ବୁମ୍ରା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୬ଟି ୱିକେଟ ନେବା ପରେ ବିଶ୍ୱର ୧ନଂ ବୋଲର ପାଲଟି ଯାଇଥିଲେ । ତେବେ ସେ ତୃତୀୟ ଦିନିକିଆ ନ ଖେଳିବାରୁ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଂଟ ବୋଲ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଂଚି ଯାଇଛନ୍ତି । ବୋଲ୍ଟ ୭୦୪ ପଏଂଟ ସହ ୧ନଂ ସ୍ଥାନରେ ଥିବା ବେଳେ ବୁମ୍ରା ମାତ୍ର ଗୋଟିଏ ପଏଂଟ କମ ସହ ଦ୍ୱିତୀୟରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ବୁମ୍ରା ୪ର୍ଥ ସ୍ଥାନରେ ଥିଲେ । ହେଲେ ଦ୍ୱିତୀୟ ମ୍ୟାଚ୍ ବେଳକୁ ସେ ୩ଟି ସ୍ଥାନ ଉପରକୁ ଉଠି ୧ନଂ ସ୍ଥାନ ଦଖଲ କରିଥିଲେ । ଏବେ ସେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି । ପୂର୍ବଭଳି ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥରେ ଜୋଶ ହେଜେଲଉଡ, ୫ମରେ ଆଫଗାନିସ୍ତାନର ମୁଜିବ ଉର ରେହମାନ, ୬ଷ୍ଠରେ ବାଂଲାଦେଶର ମେହିଦି ହାସନ, ୭ମରେ ମ୍ୟାଟ ହେନରୀ, ୮ମରେ ମହମ୍ମଦ ନାବି, ୯ମରେ ଇଂଲଣ୍ଡର କ୍ରିସ ୱକ୍ସ ଓ ୧୦ମରେ ରଶିଦ ଖାନ ରହିଛନ୍ତି ।
ବୁମ୍ରା ତଳକୁ ଖସିଥିଲେ ମଧ୍ୟ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦର ଚହଲ ଏକାଥରେ ୪ଟି ସ୍ଥାନ ଉପରକୁ ଉଠି ବୋଲିଂ ରାଙ୍କିଙ୍ଗର ୧୬ତମ ସ୍ଥାନରେ ପହଂଚି ଯାଇଛନ୍ତି । ସେହିପରି ଇଂଲଣ୍ଡ ବିପକ୍ଷରେ ମ୍ୟାନ ଅଫ ଦି ସିରିଜ ପାଇଥିବା ହାର୍ଦ୍ଦିକ ପାଣ୍ତ୍ୟା ଅଲରାଉଣ୍ଡର ରାଙ୍କିଙ୍ଗର ଟପ ୧୦ରେ ପ୍ରବେଶ କରିଛନ୍ତି । ସେ ୨୪୨ ପଏଂଟ ସହ ରାଙ୍କିଙ୍ଗର ୮ମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ବ୍ୟାଟିଂ ରାଙ୍କିଙ୍ଗ ଦେଖିଲେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ନମ୍ବର ସ୍ଥାନରେ ରହିଛନ୍ତି । ପାକିସ୍ତାନ ଇମାମ ଉଲ ହକ ୨ରେ ରହିଥିବା ବେଳେ ୩ଟି ସ୍ଥାନ ଉପରକୁ ଉଠି ଦକ୍ଷିଣ ଆଫ୍ରିକାର ରସି ଭାନ ଡେର ଡୁସେନ ୩ୟ ସ୍ଥାନ ଦଖଲ କରିଛନ୍ତି । ପୂର୍ବରୁ ୩ନଂରେ ଥିବା ବିରାଟ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ଓ ରୋହିତ ଗୋଟିଏ ସ୍ଥାନ ଖସି ୫ମ ସ୍ଥାନରେ ପହଂଚିଛନ୍ତି । ୬ଷ୍ଠରେ କ୍ୱିଂଟନ ଡି’କକ, ୭ମରେ ରସ ଟେଲର, ୮ରେ ଡାଭିଡ ୱାର୍ଣ୍ଣର, ୯ମରେ ଜନ୍ନି ବେୟାରଷ୍ଟୋ ଓ ୧୦ମରେ ଆରୋନ ଫିଂଚ ରହିଛନ୍ତି ।
