ଆଇସିସି ଦିନିକିଆ ମାନ୍ୟତା : ଦ୍ୱିତୀୟ ସ୍ଥାନ ବଜାୟ ରଖିଲେ ବିରାଟ, ଚତୁର୍ଥରେ ରୋହିତ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପକ୍ଷରୁ ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରାଯାଇଛି । ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଅବନତି ଘଟିଛି । ରୋହିତ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ରହିଛନ୍ତି । ରୋହିତ ଦିନିକିଆ ରେଟିଂ ପଏଂଟ ୭୯୧ ରହିଛି । ବିରାଟ କୋହଲି ୮୧୧ ରେଟିଂ ପଏଂଟ ସହ ପୂର୍ବବତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ବିରାଟ ଏବଂ ରୋହିତଙ୍କୁ ବାଦ୍ ଦେଲେ ଆଇସିସି ଦିନିକିଆ ବ୍ୟାଟସମ୍ୟାନର ଟପ୍-୧୦ ତାଲିକାରେ ଆଉ କୌଣସି ଭାରତୀୟ ବ୍ୟଟସମ୍ୟାନ ନାହାନ୍ତି ।
ପାକିସ୍ତାନର ଅଧିନାୟକ ବାବର ଆଜମ ୮୭୩ ରେଟିଂ ପଏଂଟ ସହ ଶୀର୍ଷରେ ଅଛନ୍ତି । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୧ ବଲ୍?ରୁ ୬୨ ରନର ଇନିଂସ ଖେଳିଥିବା କ୍ୱିଂଟନ ଡିକକ୍ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଂଚିଛନ୍ତି । ତାଙ୍କ ଦେଶର ରସି ଭାନ ଡର ଡସେନ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଂଚିଛନ୍ତି । ବୋଲିଂ ତାଲିକାରେ ଯଶପ୍ରୀତ ବୁମରା ଏକ ମାତ୍ର ଭାରତୀୟ ବୋଲର ଭାବେ ଟପ୍-୧୦ରେ ଅଛନ୍ତି । ବୁମରା ୬୭୯ ରେଟିଂ ସହ ଷଷ୍ଠ ସ୍ଥାନରେ ଅଛନ୍ତି । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଂଟ ବୋଲ୍ଟ ୭୩୭ ରେଟିଂ ସହ ଶୀର୍ଷରେ ଅଛନ୍ତି । ବୋଲିଂ ତାଲିକାରେ ଟପ୍-୭ରେ କୌଣସି ପରିବର୍ତନ ହୋଇ ନାହିଁ । ମାତ୍ର ବାଂଲାଦେଶ ବିପକ୍ଷରେ ନିଜ କ୍ୟାରିୟରରେ ଦ୍ୱିତୀୟ ପାଂଚ ୱିକେଟ୍ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା ପଂଚମ ସ୍ଥାନ ଉନ୍ନତି ଘଟାଇ ଅଷ୍ଟମରେ ପହଂଚିଛନ୍ତି ।
