ଦେଶକୁ ରକ୍ତପାତରୁ ରକ୍ଷା ପାଇବା ପାଇଁ ମୁଁ ଦେଶ ଛାଡ଼ିଲି : ଅଶରଫ ଘନି
କାବୁଲ : ଆଫଗାନିସ୍ତାନରେ ତାଲିବାନ ଆତଙ୍କ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ରାଷ୍ଟ୍ରପତି ଅସରଫ ଘନି ନିଜର ପଦ ତ୍ୟାଗ କରି କାବୁଲ ଛାଡ଼ି ଚାଲିଯାଇଛନ୍ତି । ପରେ ଏହାକୁ ନେଇ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଘନି କହିଛନ୍ତି ଯେ, ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିବାରୁ ଦେଶକୁ ରକ୍ତପାତରୁ ରକ୍ଷା ପାଇବା ପାଇଁ ସେ ଦେଶ ଛାଡିଛନ୍ତି। ବିଳମ୍ବିତ ରାତିରେ ଫେସବୁକ ପୋଷ୍ଟ ଜରିଆରେ ସେ ଦେଶରୁ ପଳାୟନ କରିବାର କାରଣ ଦର୍ଶାଇଛନ୍ତି। ସେ ଆଫଗାନିସ୍ତାନ ଛାଡିବା ପରେ ନିଜର ପ୍ରଥମ ମନ୍ତବ୍ୟରେ କହିଛନ୍ତି ଯେ ଆଜିଠାରୁ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ଧନ ଏବଂ ସୁରକ୍ଷା ପାଇଁ ତାଲିବାନ ଦାୟୀ ରହିବ।
ଘାନି କହିଛନ୍ତି ଯେ ସେ ସଶସ୍ତ୍ର ତାଲିବାନ କିମ୍ବା ପ୍ରିୟ ଦେଶ ଛାଡିବା ମଧ୍ୟରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି ଏବଂ ଗତ ୨୦ ବର୍ଷର ସୁରକ୍ଷା ପାଇଁ ମୁଁ ନିଜ ଜୀବନକୁ ଉତ୍ସର୍ଗ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ ଅସ୍ତ୍ରଶସ୍ତ୍ରର ଭୟ ଦେଖାଇ ଜିତିଛନ୍ତି, କିନ୍ତୁ ଆଫଗାନିସ୍ତାନ ଲୋକଙ୍କ ହୃଦୟ ଜିତିପାରି ନାହାନ୍ତି। ସେ କହିଛନ୍ତି, ଯଦି ପଦକ୍ଷେପ ନ ନିଆଯାଏ ତେବେ ତେବେ ଅଗଣିତ ଦେଶପ୍ରେମୀ ସହିଦ ହେବେ ଏବଂ କାବୁଲ ସହର ଧ୍ୱଂସ ହୋଇଯିବ, ଯାହା ଫଳରେ ଏକ ବଡ଼ ମାନବିକ ବିପର୍ଯ୍ୟୟ ଘଟିବ। ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ରବିବାର କହିଛନ୍ତି ଯେ ତାଲିବାନ ଆତଙ୍କବାଦୀଙ୍କୁ ରାଜଧାନୀ କାବୁଲରେ ପ୍ରବେଶ କରିବାକୁ କୁହାଯାଇଛି। ମୁଜାହିଦ୍ ଟୋଲୋ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସହରରେ ସୁରକ୍ଷା ପରିସ୍ଥିତି ନିୟନ୍ତ୍ରଣରେ ରହିବ।
