ସ୍ୱାମୀଙ୍କ ବର୍ବର କାଣ୍ଡ ! ଝିଅ କଳା ବୋଲି ମା’-ଝିଅକୁ ମାଡ଼ ମାରି ଘରୁ ତଡ଼ିଦେଲେ
ବାଲେଶ୍ୱର : ଝିଅର ରଙ୍ଗ କଳା ବୋଲି ସ୍ତ୍ରୀକୁ ମିଳୁଛି ଦଣ୍ଡ । ସ୍ତ୍ରୀକୁ ଘରୁ ବାହାର କରି ଦେବା ପରେ କୁନି ଝିଅକୁ ଧରି ଘର ସମ୍ମୁଖରେ ଭୋକ ଉପାସରେ ବସି ରହିଛନ୍ତି ମା’ । ନିଜ ସ୍ତ୍ରୀ ଓ ଝିଅ ପ୍ରତି ଏଭଳି ନିର୍ଦ୍ଦୟ ହେବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ତାଡ଼ଦା ଗ୍ରାମରେ ।
ସୂଚନା ମୁତାବକ ତାଡ଼ଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ୟୋତ୍ସ୍ନା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହର ଦୁଇ ବର୍ଷ ପରେ ଜ୍ୟୋତ୍ସ୍ନାଙ୍କର ଝିଅ ଟିଏ ଜନ୍ମ ହୋଇଥିଲା । ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ଲୋକଙ୍କ ରୋଷର ଶିକାର ହୋଇ ଥିଲେ ଜ୍ୟୋତ୍ସ୍ନା । ପରିବାର ଲୋକେ ଝିଅ ହେଉ ବୋଲି ଚାହୁଁ ନ ଥିଲେ । ଝିଅ ପୁଣି କଳା ହୋଇଥିବାରୁ ସବୁ ଦୋଷ ଜ୍ୟୋତ୍ସ୍ନାଙ୍କ ମୁଣ୍ଡରେ ଲଦି ଦିଆଯାଇଥିଲା । ସେହିଦିନ ଠାରୁ ଆରମ୍ଭ ହୋଇଥିଲା ଶାରୀରିକ ଏବଂ ମାନସିକ ନିର୍ଯାତନା । ଏମିତିକି ଗାଆଁ ଦାଣ୍ଡରେ ମା, ଝିଅ ଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍ୱାମୀ, ଶାଶୁ, ନଣନ୍ଦ ମିଶି ମାଡ଼ ମାରୁଥିବାର କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏମିତିକି ତାଙ୍କୁ ଖାଇବା ପିଇବାକୁ ମଧ୍ୟ ଦେଉ ନଥିଲେ । ଗତ ଗଣେଶ ପୂଜା ଦିନ ଜ୍ୟୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଲିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ନେଇ ଜ୍ୟୋତ୍ସ୍ନା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଝିଅର ଦେହ ସୁସ୍ଥ ହେବାପରେ ଜ୍ୟୋତ୍ସ୍ନା ବୁଧବାର ସକାଳେ ଘରକୁ ଫେରିଥିଲେ । ମାତ୍ର ସ୍ୱାମୀ ଚନ୍ଦନ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟ୍ରେ ତାଲା ପକାଇ ଦେଇଥିଲେ । ଫଳରେ ଉଭୟ ମା’, ଝିଅ ଅଖିଆ ଅପିଆ ଗେଟ୍ ସମ୍ମୁଖରେ ବସି ରହିଥିଲେ । ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ସେମାନେ ଆଶ୍ରୟ ନେଇଥିଲେ । ଗୁରୁବାର ସକାଳେ ମା, ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କୁ ମାଡ଼ ମାରିବା ସହିତ ଘର ଗେଟ୍ରେ ତାଲା ପକାଇ ପଳାଇ ଯାଇଥିଲେ । ତେବେ କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ୟାୟ ପାଇଁ ଅପେକ୍ଷାରେ ବସିଛନ୍ତି ଜ୍ୟୋତ୍ସ୍ନା । ଦୀର୍ଘଦିନ ଧରି ଚନ୍ଦନ ତାଙ୍କ ସ୍ତ୍ରୀଙ୍କୁ ଅଲଗା ରଖିଛନ୍ତି । ଗାଁ ଭଦ୍ରଲୋକ ଓ ବାପଘର ଲୋକଙ୍କୁ ନେଇ ବିଭିନ୍ନ ସମୟରେ ଆପୋଷ ସମାଧାନ କରାଯାଇ ଥିଲେ ହେଁ କୌଣସି ସୁଫଳ ମିଳୁ ନାହିଁ ।
