ବାଲେଶ୍ୱର : ମହାପ୍ରୟାଣ କିମ୍ବା ଆମ୍ବୁଲାନ୍ସ ନ ଆସିବାରୁ ଟ୍ରଲିରେ ପତ୍ନୀଙ୍କ ମୃତଦେହକୁ ନେଲେ ସ୍ୱାମୀ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟସରକାରଙ୍କ ମହାପ୍ରୟାଣ ୟୋଜନା ମାରିଲା ଫେଲ । ବ୍ୟବଚ୍ଛେଦ ପାଇଁ ଟ୍ରଲି ରିକ୍ସା ଯୋଗେ ପତ୍ନୀଙ୍କ ମୃତଦେହ ଡାକ୍ତରଖାନାକୁ ନେଲେ ହତଭାଗା ସ୍ୱାମୀ ।
ସୂଚନା ଯେ, ଶାଳିକୋଠା ଗାଁ ଦିଗଜୁଡ଼ି ସାହିର ପୂର୍ଣ୍ଣ ସିଂଙ୍କ ପତ୍ନୀ ବାସନ୍ତୀ (୩୨) ଗତ ୩ ଦିନ ଧରି ନିଖୋଜ ଥିଲେ। ମାତ୍ର ଗତକାଲି ଅପରାହ୍ନରେ ନିମପୁର-କପାସିଆ ରାସ୍ତାକଡ଼ ଏକ ନୟନଯୋଡ଼ିରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ପରିବାର ଲୋକ ପହଞ୍ଚିଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ମୃତଦେହ ଉଦ୍ଧାର ହେବାର ୫ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଆସିନଥିଲା। ତେବେ ଗାଡ଼ି ନ ଆସିବା ଦେଖି ମୃତଦେହ ବ୍ୟବଚ୍ଛେଦ ପାଇଁ ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନା ନେଇଯିବାକୁ କହି ପୋଲିସ ମଧ୍ୟ ସେଠାରୁ ପଳାଇ ଯାଇଥିଲେ। ଶେଷରେ ସ୍ୱାମୀ ପୂର୍ଣ୍ଣ ଏକ ଟ୍ରଲି ରିକ୍ସା ଯୋଗେ ପତ୍ନୀଙ୍କ ମୃତଦେହ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ମୃତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା ରହିଥିଲେ ବି ଶବକୁ ଏଭଳି ଅସମ୍ମାନ କରାଯିବା ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ ପାଇଛି ।
