ଆସନ୍ତା ୧୨ଘଣ୍ଟାରେ ଉପକୂଳ ଛୁଇଁବ ଘୂର୍ଣ୍ଣିବଳୟ : ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ବଢିବ ବର୍ଷା। ଶନିବାର ଦିନ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ରବିବାର ଓଡ଼ିଶା ଉପକୂଳ ଛୁଇଁବ। ଏହା ପ୍ରଭାବରେ ରବିବାର ଉତ୍ତରଓଡ଼ିଶା ଓ ସୋମବାର ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବର୍ଷା ହେବ। ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢ଼ଳି ରହିଥିବା ବେଳେ ଆସନ୍ତା ୧୨ଘଣ୍ଟାରେ ଓଡ଼ିଶା ଉପକୂଳ ସ୍ପର୍ଶ କରିବ।
ଫଳରେ ରାଜ୍ୟରେ ବର୍ଷା ବଢ଼ିବ। ଆଜି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ୮ ଜିଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି। ସେହିଭଳି ୨୦ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
