ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ବିବାଦ ତୁଟିଲା ଏକାଠି ରହିବେ ଦମ୍ପତ୍ତି
କଟକ : ଓଲିଉଡ୍ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦର ସମାଧାନ ହୋଇଛି । ଏଣିକି ଉଭୟେ ଏକାଠି ରହିବାକୁ ରାଜି ହୋଇଥିବା ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀୟା ଆଉ କିଛି ଦିନ ପରେ ଆସି ସ୍ୱାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ ବୋଲି କହିଥିବା ବେଳେ ହ୍ୟୁମାନ ସାଗର ଓ ତାଙ୍କ ମା’ ମଧ୍ୟ ଏହି ସମାନ କଥା ଦୋହରାଇଛନ୍ତି । ସେହିଭଳି ହ୍ୟୁମାନ ସାଗର ଉଭୟଙ୍କ ଭିତରେ ବୁଝାମଣା ହୋଇଥିବା ଓ ଏକାଠି ରହିବା ବିଷୟରେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି । ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ଆଜି ମହିଳା ଥାନାରେ ହାଜର ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିଲା । ହ୍ୟୁମାନଙ୍କ ମା’ ଶେଫାଳି ସୁନା ମଧ୍ୟ ଉପସ୍ଥିତ ଥିଲେ । ଆଜି ଉଭୟ ଏକାଠି ରହିବା ପାଇଁ ନିଜ ନିଜର ନିଷ୍ପତି ଜଣାଇଥିଲେ ମହିଳା ଥାନାରେ । ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ନିଷ୍ପତି ଉଭୟେ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ଶ୍ରୀୟା ଥାନାରେ ଅଭିଯୋଗ କରିଥିଲେ । ପରେ ଥାନା ପକ୍ଷରୁ ଉଭୟଙ୍କୁ କାଉନସେଲିଂ ପାଇଁ ଥାନାକୁ ଡକାଯାଇଥିଲା । ଏହାପରେ ସେମାନେ ଦୁଇ ଦିନ ସମୟ ନେଇଥିଲେ । ପରେ ଶ୍ରୀୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଉକ୍ତ ଦିନ ଥାନାକୁ ଆସିପାରିବେ ନାହିଁ ଓ ୩୦ ତାରିଖରେ ଆସିବା ନେଇ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଆଜି ସେମାନେ ପହଂଚିବାରୁ ଉଭୟଙ୍କର କାଉନସେଲିଂ କରାଯାଇଥିଲା ।
