ଅଟୋ ଚାଳକଙ୍କ ସଚ୍ଚୋଟତା : ଫେରାଇଲେ ସୁନା ଅଳଙ୍କାର ଓ ଲଗେଜ୍
କଟକ : ବାସ୍ତବବାଦୀ ସମାଜରେ ଏବେ ବି ସଚ୍ଚୋଟତା ବଂଚିରହିଛି । ସମସ୍ତଙ୍କୁ ଲୋଭ ଗ୍ରାସ କରିପାରିନାହିଁ । ଜଣେ ଅଟୋ ଚାଳକ ଲୋଭର ବଶବର୍ତ୍ତୀ ନ ହୋଇ ତାଙ୍କ ଅଟୋରେ ଯାତ୍ରୀ ଛାଡିଯାଇଥିବା ସୁନା ଅଳଙ୍କାର ଓ ଲଗେଜ୍ ଫେରାଇ ତାଙ୍କ ସଚ୍ଚୋଟତା ପ୍ରଦର୍ଶନ କରିବା ସହ ପ୍ରଶଂସା ସାଉଁଟିଛନ୍ତି । ମିଳିଥିବା ସୂଚନା ମୁତାବକ, ପୀରବଜାରର ରିନୁ ବିବି ନାମକ ମହିଳା ଏକ ଅଟୋରିକ୍ସାରେ ଶିଖରପୁରରୁ ଜଗତପୁରକୁ ଆସିଥିଲେ । ମାତ୍ର ଭୁଲରେ ଅଟୋରେ ତାଙ୍କ ଲଗେଜ୍ ଛାଡି ପଳାଇଥିଲେ । ଲଗେଜରେ ଦାମୀ ସ୍ୱର୍ଣ୍ଣ ହାର ମଧ୍ୟ ରହିଥିଲା । ମାତ୍ର ଅଟୋ ଚାଳକ ବାଦାମବାଡି ଥାନା ଅନ୍ତର୍ଗତ ଲିଙ୍କ୍ରୋଡର ପ୍ରଫୁଲ୍ଲ ଜେନା ଏହି ଲଗେଜକୁ ଜଗତପୁର ଥାନାର ଜିମା ଦେଇଥିଲେ । ଜଗତପୁର ଥାନାରୁ ରିନୁ ବିବି ତାଙ୍କ ଲଗେଜ ଓ ସ୍ୱର୍ଣ୍ଣ ଅଳଙ୍କାର ଫେରି ପାଇବା ପରେ ଅଟୋ ଚାଳକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
