ହଲିଉଡ ସୁପରଷ୍ଟାର ଟମ୍ କ୍ରୁଜଙ୍କ ବିଏମ୍ଡବ୍ଲୁ ଲଗ୍ଜୁରୀ କାର୍ ଚୋରି
ଲସ୍ଏଞ୍ଜେଲିସ : ହଲିଉଡ ସୁପରଷ୍ଟାର ଟମ୍ କ୍ରୁଜଙ୍କ କାର୍ ଚୋରି । ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା ବେଳେ ତାଙ୍କ ବିଏମ୍ଡବ୍ଲୁ ଲଗ୍ଜୁରୀ କାର୍ଟି ଚୋରି ହୋଇଯାଇଛି। କେବଳ ସେତିକି ନୁହେଁ ଏହି ଟମ୍ କ୍ରୁଜଙ୍କ କାର୍ରେ ଥିବା କିଛି ଦାମୀ ଜିନିଷ ମଧ୍ୟ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଯେ, ଟମ୍ କ୍ରୁଜ ୟୁକେରେ ତାଙ୍କ ଅପକମିଂ ଫିଲ୍ମ ‘ମିଶନ ଇମ୍ପସିବୁଲ-୭’ର ସୁଟିଂ କରୁଥିଲେ। ତାଙ୍କ ଲଗ୍ଜୁରୀ କାର୍ଟି ବର୍ମିଘମର ଗ୍ରାଣ୍ଡ ହୋଟେଲ ବାହାରେ ଠିଆ ହୋଇଥିଲା। ଏତିକି ବେଳେ ତାଙ୍କ କାର୍ଟି ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଦ ସନ୍ର ରିପୋର୍ଟ ମୁତାବକ, ଟମ୍ ଏହି କାର୍ରେ ହିଁ ବର୍ମିଘମରେ ଯାତ୍ରା କରୁଥିଲେ। ତାଙ୍କର କିଛି ଦାମୀ ଜିନିଷ ମଧ୍ୟ ଏହି କାର୍ ଭିତରେ ଥିଲା। ଅଭିଯୋଗ ପରେ ପୁଲିସ ଟ୍ରାକିଂ କରି କାର୍ଟିକୁ ଖୋଜି ପାଇଛି। କିନ୍ତୁ ଏହା ଭିତରେ ଥିବା ଅଭିନେତାଙ୍କ କିଛି ଜିନିଷ ଚୋରି ହୋଇଯାଇଥିବା ଜଣାପଡିଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ମଙ୍ଗଳବାର ସକାଳେ ବର୍ମିଘମ ଚର୍ଚ୍ଚ ଷ୍ଟ୍ରିଟରୁ ଏକ ବିଏମ୍ଡବ୍ଲୁ ଏକ୍ସ-୭ କାର୍ ଚୋରି ହୋଇଥିବା ସୂଚନା ମିଳିଥିଲା। କିଛି ସମୟ ପରେ ଉକ୍ତ ଚୋରି ହୋଇଥିବା କାର୍ଟିକୁ ସ୍ମେଥୱିକ୍ରୁ ଜବତ କରାଯାଇଥିଲା। ଏବେ ଏହି ମାମଲାର ଯାଞ୍ଚ ଚାଲିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି।
