ଆଜିଠୁ ହକି ବିଶ୍ୱକପ୍ ମହାସମର : ଉଦଘାଟନୀ ଦିବସରେ ଖେଳାଯିବ ୪ଟି ମ୍ୟାଚ୍
ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଭାରତ-ସ୍ପେନ୍ ଲଢେଇ
ଭୁବନେଶ୍ୱର : ଆଜିଠୁ ହକି ବିଶ୍ୱକପ୍ ମହାସମର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଦୀର୍ଘ ୧୭ଦିନ ବ୍ୟାପୀ ଚାଲିବାକୁ ଥିବା ମ୍ୟାଚ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ ମ୍ୟାଚ୍। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଉଦଘାଟନୀ ଦିବସରେ ଖେଳାଯିବ ୪ଟି ମ୍ୟାଚ୍।
ଚଳିତ ଥର ଭାରତ ସମେତ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ୍, ଜର୍ମାନୀ ଏବଂ ବେଲଜିୟମକୁ ବିଶ୍ୱକପ ଦାବିଦାର କୁହାଯାଉଛି। ନେଦରଲ୍ୟାଣ୍ଡସ ୩ ଥର ବିଶ୍ୱକପ ଟାଇଟଲ ଜିତିଥିବାବେଳେ ୨୦୧୮ରେ ରନର୍ସ ଅପ୍ରେ ସନ୍ତୁଷ୍ଟ ରହିଥିଲା । ସେହିପରି ଅଷ୍ଟ୍ରେଲିଆ ମଧ୍ୟ ୩ ଥର ବିଶ୍ୱକପ୍ ଟ୍ରଫି ହାସଲ କରିଥିବା ବେଳେ ଜର୍ମାନୀ ଓ ଡିଫେଣ୍ଡିଂ ଚାମ୍ପିୟନ୍ ବେଲଜିୟମ୍ ଜବରଦସ୍ତ ଫର୍ମରେ ଥିବାର ଜଣାପଡ଼ିଛି ।
ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଆୟୋଜକ ଭାରତ। ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଏ ମ୍ୟାଚ୍ ଉପରେ ପୁରା ଦେଶର ନଜର। ଘରୋଇ ମାଟି ସହ ହୋମ୍ ଗ୍ରାଉଣ୍ଡର ଦୁଇ ଷ୍ଟାର ଅମିତ ରୋହିଦାସ ଓ ନିଲମ୍ ସଂଜୀପ ଖେସଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ମୁକାବିଲା ହେବ ଶକ୍ତିଶାଳୀ ସ୍ପେନ୍ ସହିତ। ମ୍ୟାଚର ଦୁଇ ୨ ସପ୍ତାହ ପୂର୍ବରୁ ବ୍ରାଣ୍ଡ ନ୍ୟୁ ର୍ବିସା ମୁଣ୍ଡା ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭ୍ୟାସ ଜାରି ରଖିଥିବାରୁ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ରଖିଛନ୍ତି ଭାରତୀୟ ଦଳର କ୍ୟାପଟେନ ଓ କୋଚ୍।
ପୁରା ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଦର୍ଶନକୁ ନେଇ ଢେର ଆଶାବାଦୀ ଅଛନ୍ତି କ୍ରୀଡ଼ାପ୍ରେମୀ। କାରଣ ଲଗାତର ଦ୍ୱିତୀୟ ଥର ପାଇଁ ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି ଟିମ୍ ହରପ୍ରୀତ ଆଣ୍ଡ୍ କୋ। କୋଚ୍ ଗ୍ରାହମ୍ ରିଡଙ୍କ ନୂଆ ରଣନୀତିକୁ ବଳ କରି ମଇଦାନକୁ ଓହ୍ଲାଉଛି ଭାରତୀୟ ଦଳ। ୧୯୭୫ ମସିହା ପରଠାରୁ ଭାରତ ପାଇଁ ସ୍ବପ୍ନ ହୋଇ ରହିଛି ବିଶ୍ୱକପ ମୁକୁଟ। ଗତ ବିଶ୍ୱକପ୍ରେ କ୍ୱାର୍ଟର ଫାଇନାଲରୁ ଆଉଟ୍ ହୋଇ ଷଷ୍ଠ ସ୍ଥାନରେ ରହିଥିଲା ଭାରତ। ଏଥର ଘରୋଇ ଦଳଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି କୋଟି କୋଟି ହକି ପ୍ରେମୀ।
ସେହିପରି ବିଶ୍ୱକପ ପାଇଁ ନିୟୋଜିତ ହେବେ ୮୧ ପ୍ଲାଟୁନ ପୋଲିସ ଫୋର୍ସ । ୮୧ ପ୍ଲାଟୁନ ଫୋର୍ସରେ ୪୦୦ ଅଧିକାରୀ ରହିବେ । ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ । ଖେଳାଳିଙ୍କ ପାଇଁ ଏୟାରପୋର୍ଟ ରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି, ଦୁଇ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୋଲିସ କର୍ମଚାରୀ । ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ । କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ। ଏହା ସହ ଟ୍ରାଫିକ ଦାୟିତ୍ବ ରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ମଧ୍ୟ ପୋଲିସ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ହେବାକୁ ଥିବା ଡଟ୍ ଫେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଉତ୍ତମ ଆତିଥେୟତା ଉପରେ ନଜର ଦେବାକୁ ପୋଲିସକୁ ପରାମର୍ଶ । ହକି ଡ୍ୟୁଟିରେ ଥିବା ପୋଲିସ ପୋଷାକରେ ସ୍ୱତନ୍ତ୍ର ଲୋଗୋ ରହିବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି ।
