ଆଜି ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ସମ୍ବଲପୁର : ଆଜି ଖୋଲିବ ହୀରାକୁଦ ଗେଟ୍ । ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ୫ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ନେଇ ଆଜି ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର ୭ ନମ୍ବର ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।
ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲିବାର ଯୋଜନା ରଖିଛନ୍ତି । ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ୍ ଖୋଲିବାକୁ ଡ୍ୟାମ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏଥିରେ ପାଖାପାଖି ୭୫ ହଜାର କ୍ୟୁସେକ ଜଳ ନିଷ୍କାସନ ହେବ । ଏଥିପାଇଁ ପ୍ରଶାସନିକ ଓ ଜଳ ସମ୍ପଦ ବିଭାଗ ତାଙ୍କର ସମସ୍ତ ପ୍ରସ୍ତୁତି ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ମହାନଦୀ ମଧ୍ୟକୁ କାହାକୁ ନଯିବା ପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ତଳମୁଣ୍ଡର ୧୪ ଟି ଜିଲାର ଜିଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ପତ୍ରରେ ଉଲ୍ଲେଖ ରହିଛି।
ସୂଚନା ଅନୁସାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୪.୮୧ ଫୁଟ୍ ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୮୮ ହଜାର ୯୩୨ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ସେହି ସମୟରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୪୦ ହଜାର ୭୮୬ କ୍ୟୁସେକ ଜଳ ।
