ଖୋଲିଲା ହୀରାକୁଦ୍ ଗେଟ୍, ୭ ନମ୍ବର ଗେଟ୍ ଦେଇ ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର : ଖୋଲିଲା ହୀରାକୁଦ ଗେଟ୍ । ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ୫ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଇଛି ପରେ ଅନ୍ୟ ଗେଟ୍ ପର୍ଯ୍ୟାୟକ୍ରମ ଖୋଲାଯିବ । ସେକେଣ୍ଡ ପ୍ରତି ନିଷ୍କାସିତ ହେଉଛି ୭୫ ହଜାର କ୍ୟୁସେକ ଜଳ ।
ସୂଚନା ଯେ, ଉପରମୁଣ୍ଡ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ପାଣିର ସ୍ତର ଧୀରେ ଧୀରେ ବଢିବାରେ ଲାଗିଥିଲା । ବର୍ତ୍ତମାନ ଡ୍ୟାମ୍ର ଜଳସ୍ତର ୬୧୪.୪୩ ଫୁଟ ରହିଛି । ସେହିପରି ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦର ତଳମୁଣ୍ଡରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଏସ୍ପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଗଲେ ମହାନଦୀ ଓ ତାର ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବ ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରାଯାଇଛି ।
