ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ନିକଟରେ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ହାଇୱାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ରବିବାର ବିଳମ୍ବିତ ରାତିରେ ‘ପ୍ରଭା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା। ଭାରସାମ୍ୟ ହରାଇ ଚାନ୍ଦିପୋଷ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ହାଇୱାକୁ ପଛକୁ ଧକ୍କା ଦେଇଥିଲା ବସ୍ । ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିଲେ । ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଯାତ୍ରୀ ଥିବା ବେଳେ ଆଉ ଜଣେ ବସ୍ ମାଲିକ ବୋଲି ଜଣାପଡିଛି । ଖବରପାଇ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ।
