ବଦଳିଲା ହାଇସ୍କୁଲ ୟୁନିଫର୍ମ : ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଇବେ ଟି-ସାର୍ଟ ଓ ଜୋତା
ଭୁବନେଶ୍ବର : ଅଷ୍ଟମ ଶ୍ରେଣୀ ପରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନଫର୍ମ । ସରକାରୀ ହାଇସ୍କୁଲ୍ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ୟୁନିଫର୍ମ । ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବି ଯୋଗାଇ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲ୍ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।
ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଟି- ସାର୍ଟ ଓ ଜୋତା । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଏହି ଡ୍ରେସ । ଉଭୟ ସରକାରୀ ଓ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଡ୍ରେସ ମିଳିବ। ୫୫୦ ଟଙ୍କାର ଯୋଡା ୟୁନିଫର୍ମ, ହଳେ ଜୋତା, ୨ଟି ମୋଜା ମିଳିବ । ଜୋତାର ମୂଲ୍ୟ ୨ ଶହ ଟଙ୍କା ରହିଥିବା ବେଳେ ମୋଜା ସହ ୧୨୫ ଟଙ୍କାର ଟି- ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଟ୍ରାକ ପ୍ୟାଣ୍ଟ ମିଳିବ । ଜଣେ ଛାତ୍ରଛାତ୍ରୀଙ୍କ ଡ୍ରେସ ପାଇଁ ମୋଟ ୧ ହଜାର ଟଙ୍କା ଖର୍ଚ୍ଚହେବ । ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ, ଓଏସଇପିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନକୁ ମଧ୍ୟ ଏ ନେଇ ଚିଠି ହୋଇଛି।
ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ହଂଟର ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ ନୂଆ ଓଡ଼ିଶା’ ରହିବ । ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ । ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ । ଚଳିତ ଶିକ୍ଷାବର୍ଷରୁ ମିଳିବ ମାଗଣା ୟୁନିଫର୍ମ । ଏହି ଯୋଜନାକୁ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ । ଏହାସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଉଭୟ ଜୋତା ଓ ମୋଜା ପାଉଥିଲେ । ଏବେ ହାଇସ୍କୁଲ ପିଲାଙ୍କୁ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି । ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା ମୋଜା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍ସ୍ତରରେ ଏକ କମିଟି ଗଠିତ ହେବ । ଏହି କମିଟି ନେତୃତ୍ୱରେ ଏମ୍ଏସ୍ଏମ୍ଇ ବା ସ୍ୱୀକୃତିପ୍ରାପ୍ତ ଏସ୍ଏଚ୍ଜିଙ୍କୁ ପୋଷାକ କ୍ରୟ ବା ବଣ୍ଟନ ଦାୟିତ୍ୱ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ । ଜଣେ ଛାତ୍ର/ଛାତ୍ରୀଙ୍କୁ ବର୍ଷକ ପାଇଁ ୨ ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ।
