୨ନଂ. ଜୋନ୍ରେ ହାଇଭୋଲଟେଜ୍ ଲଢ଼େଇ! ଜିଲାପରିଷଦର ପ୍ରାର୍ଥୀନୀ ପତ୍ନୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡ଼ିଲେ ହେଭିୱେଟ୍ ସ୍ୱାମୀ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ତାରିଖ ପାଖେଇ ଆସୁଛି । ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା । ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଦୁଇ ପ୍ରମୁଖ ଦଳ ଭାଜପା ଓ ବିଜେଡି ପକ୍ଷରୁ ଦିନରାତି ଏକ୍ କରି ନିଜ ନିଜ ବିଜୟ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଓ ତାଙ୍କର ସ୍ବାମୀ ମାନେ ଅଣ୍ଟା ଭିଡିଛନ୍ତି। ଉଭୟ ପ୍ରାର୍ଥୀନୀ ମଧ୍ୟରୁ ଜଣେ ରାଜ୍ୟରେ ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ଉପସ୍ଥାପନ କରୁଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରର ମୋଦୀ ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନାର ବିକାଶର ନାରା ନେଇ ଭୋଟରଙ୍କ ପାଖରେ ପହଞ୍ଚୁଥିବା ଦେଖିବାକୁ ମିଳିଛି।
ବାଲେଶ୍ୱର ଜିଲା ୱୈପଦା ବ୍ଲକ ଜୋନ୍ ନଂ୨ ପାଇଁ ବିଜେଡି ପ୍ରାର୍ଥୀନୀ ଶ୍ରଦ୍ଧାଞ୍ଜଳି ଜେନା ଲଢୁଥିବା ବେଳେ ପତ୍ନୀଙ୍କୁ ଜିତେଇବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ବାମୀ ଶୁଭେନ୍ଦୁ ଶେଖର ଜେନା। ଶ୍ରଦ୍ଧାଞ୍ଜଳି ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ପୂର୍ବରୁ ଏଠାରେ ବିଜେଡି ସମର୍ଥନରେ ସ୍ଵାମୀ ଶୁଭେନ୍ଦୁ ଶେଖର ଜେନା ବିଜୟୀ ହୋଇଥିବା ବେଳେ ତାଙ୍କର ଜନହିତକର କାର୍ଯ୍ୟକୁ ପାଥେୟ କରି ଭୋଟରଙ୍କୁ ହାତେଇବା ପାଇଁ ଶ୍ରୀ ଜେନାଙ୍କ ସହ ପତ୍ନୀ ଶ୍ରଦ୍ଧାଞ୍ଜଳି ଭୋଟରଙ୍କ ନିକଟତର ହୋଇଥିବାର ଦେଖିବାକୁ ମିଳିଛି।
ଅନୁରୂପ ଭାବେ ଉକ୍ତ ଜୋନ ପାଇଁ ଭାଜପା ପକ୍ଷରୁ ନିର୍ବାଚନି ମଇଦାନକୁ ଓହ୍ଲାଇଛନ୍ତି ଉଷାରାଣି ରାଉଳ । ପତ୍ନୀଙ୍କୁ ଜିତେଇବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ବାମୀ ବସନ୍ତ ରାଉଳ। ଉଷାରାଣି ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସରପଞ୍ଚ ହୋଇ ଥିବାବେଳେ ସୁଚାରୁରୂପେ ଗୃହିଣୀ ଧର୍ମ ପାଳନ କରିବା ସହ ନୀଳଗିରି ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସହଯୋଗରେ ବିଗତ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଉନ୍ନତି କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିଲେ । ଉକ୍ତ ଅଞ୍ଚଳରେ ହୋଇଥିବା ଉନ୍ନୟନ ମୁଳକ କାର୍ଯକୁ ଆହୁରି ଆଗକୁ ନେବା ପାଇଁ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ତାଙ୍କ ସ୍ୱାମୀ ବସନ୍ତ କୁମାର ରାଉଳ ଭାଜପା ରାଜନୀତିରେ ଜଣେ ଦୃଢ଼ ସଂଗଠକ । ଉଶାରାଣି ରାଉଳଙ୍କ ମତରେ ଗୁରୁଜନମାନଙ୍କୁ ଓ ଲଘୁଜନମାନଙ୍କୁ ସମ୍ମାନ ଓ ମାତୃଶକ୍ତିକୁ ସଶକ୍ତ କରିବା, ଯୁବଶକ୍ତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆମର ଅଞ୍ଚଳକୁ ସମୃଦ୍ଧ କରିବା ଲକ୍ଷ୍ୟର ନିର୍ଭର ପ୍ରତିଶ୍ରୁତି ଦେଇ ଭୋଟର ଠାରେ ନିକଟତର ହେଉଛନ୍ତି । ଦେଖିବାକୁ ବାକିରହିଲା ଲୋକେ କାହାକୁ ଅଧିକ ଗ୍ରହଣ କରୁଛନ୍ତି। ସୂଚନା ଥାଉକି ଉଭୟ ପ୍ରାର୍ଥୀନୀ ଙ୍କ ସ୍ବାମୀ ନୀଳଗିରି ଅଞ୍ଚଳରେ ଜଣେ ଜଣେ ଇଟାଭାଟି ର ମାଲିକ ହୋଇ ଥିବାବେଳେ ଉଭୟ ସମାଜରେ ପ୍ରତିଷ୍ଠିତ ବ୍ଯକ୍ତି। ଆଜି ଦିନରେ କାଣ୍ଟେ କାଣ୍ଟେକି ଟକ୍କର୍, କୋଇ କିସିସେ କମ୍ ନଥିବାର ସୂଚନା।
