ଆଜି ଅତିପ୍ରବଳ ବର୍ଷା ନେଇ ୬ ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି
- ୧୪ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା !
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ଆଖପାଖ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହାସହ ଜଡିତ ଘୂର୍ଣ୍ଣବଳୟ ସମୁଦ୍ର ପତନଠାରୁ ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ବ୍ୟାପିଛି। ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଏବଂ ଅନୁଗୋଳ ଭଳି ୬ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଠାରେ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଏବଂ ଦେବଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଜପତି, ଗଞ୍ଜାମ, ରାୟଗଡା ଏବଂ କନ୍ଧମାଳ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ଜାରି ରହିବ । ସେଥିପାଇଁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର ।
ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଭୀଷଣ ବର୍ଷା କରାଇବ। ସମ୍ଭବତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଉପକୂଳ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ ବର୍ଷା ହେବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ଏହି ଲଘୁଚାପଜନିତ ବର୍ଷା ହେବ। ଜୁନ୍ ୧୨ ଓ ୧୩ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ ୧୪ରୁ ୧୬ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବ। ୧୭ରୁ ୧୮ ବା ୧୯ତାରିଖ ଯାଏ ପାଗ ପ୍ରାୟତଃ ଶୁଖିଲା ରହିବ। ଏହାପରେ ପୁଣି ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ୧୪ ଓ ୧୫ ତାରିଖରେ ପୁରୀ, ଖୋର୍ଧା, ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ। ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ ଓ ରୟଗଡ଼ାରେ ଭାରି ବର୍ଷା ଓ କେତକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହେବ। ୧୬ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସୁବର୍ଣ୍ଣରେଖା ଫୁଲିବା ଓ ବନ୍ୟା ଆଶଙ୍କାକୁ ଏଡ଼ାଯାଇ ନପାରେ।
