ଖରାରେ ସିଝିଲା ଭୁବନେଶ୍ୱର : ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ
ଭୁବନେଶ୍ୱର : ପ୍ରବଳ ଖରାରେ ସିଝିଲା ରାଜଧାନୀ ଭୁବନେଶ୍ୱର । ଶୁକ୍ରବାର ପୁଣି ଥରେ ଭୁବନେଶ୍ୱରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଛି , ଯାହାକି ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା । ଏହା ପୂର୍ବରୁ ଭୁବନେଶ୍ୱରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା । ତେବେ ରାଜ୍ୟର ଅନ୍ୟାନ୍ୟ ସହରଗୁଡିକର ତାପମାତ୍ରା ଗତ କିଛି ଦିନ ଅପେକ୍ଷା କମ୍ ରହିଛି । ଅପରପକ୍ଷରେ ଆସନ୍ତା କାଲି ଠାରୁ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ରେ ବୃଦ୍ଧି ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭୁବନେଶ୍ୱରରେ ଆଜି ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ରାଜଧାନୀରେ ଖରାର ପ୍ରଭାବ କମ ଥିଲା । ସକାଳୁ ପାଗ ମେଘୁଆ ଥିଲା । କିନ୍ତୁ ସକାଳ ୧୦ଟା ପରେ ତାପମାତ୍ରା ବଢ଼ିଥିଲା । ଦିନ ସମୟର ତାପମାତ୍ରା ଲୋକଙ୍କୁ ଅଧିକ ଅସ୍ତବ୍ୟସ୍ତ କରିପକାଇଥିଲା । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଥିଲା । ମଧ୍ୟାହ୍ନ ପରେ ରାସ୍ତା ବଜାର ଖାଁ ଖାଁ ଲାଗୁଥିଲା । ସନ୍ଧ୍ୟା ୫ଟା ପରେ ମଧ୍ୟ ଭୁବନେଶ୍ୱରରେ ଗରମ ପବନ ପ୍ରବାହିତ ହେଉଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ବୌଦ୍ଧ ଏବଂ ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ ହୋଇଛି ।
