ଖରା ତାତିରେ ଅଦିନିଆ ବର୍ଷା, ଆଜିଠୁ ୩ ଦିନ ଏହି ସବୁ ଜିଲାରେ ବର୍ଷିବ!
ଭୁବନେଶ୍ୱର : ରାଜ୍ୟରେ ଖରା ତାତି ମଧ୍ୟରେ ଅଦିନିଆ ବର୍ଷା । ଆଜିଠୁ ୩ ଦିନ ହାଲୁକା ବର୍ଷା ସମ୍ଭାବନା ରହିଛି । ଏକ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦିନ ଯାଏଁ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ମଙ୍ଗଳବାର ସକାଳ ୮ଟା ୩୦ ମଧ୍ୟରେ ମୟୂରଭଂଜ, କେଉଁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୭ ତାରିଖ ସକାଳ ଯାଏଁ ଏପରି ସ୍ଥିତି ଲାଗି ରହିବା ସହ ଉପକୂଳ ଓଡିଶାରେ ପାଗ ପ୍ରାୟତଃ ଶୁଖିଲା ଓ କୋହଲା ରହିବ । ଏହସହ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପାରଦ ଉଚ୍ଚ ରହିବ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର ।
ସୂଚନା ଯେ, ସୋମବାର ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହରର ଭାବେ ରେକର୍ଡ ହୋଇଛି । ଏଠାରେ ଆଜି ତାପମାତ୍ରା ୪୨.୬ ଡିଗ୍ରୀ ରହିଛି । ଏହାପରେ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧ ୪୨ ଡିଗ୍ରୀ, ଭବାନୀପାଟନା ୪୦.୬ ଡିଗ୍ରୀ, ସୁବର୍ଣ୍ଣପୁର ୪୦.୬ ଡିଗ୍ରୀ, ସୁନ୍ଦରଗଡ଼ ୪୦.୫ ଡିଗ୍ରୀ, ସମ୍ୱଲପୁର ୪୦.୧, ଝାରସୁଗୁଡ଼ା ୪୦.୮ ଡିଗ୍ରୀ, ତାଲଚେର ୩୯, ଡିଗ୍ରୀ, ମାଲକାନଗିରି ୩୯ ଡିଗ୍ରୀ, ଫୁଲବାଣୀ ୩୯.୯ ଡିଗ୍ରୀ, ଦାରିଙ୍ଗିବାଡ଼ି ୩୭.୫ ଡିଗ୍ରୀ, ନୟାଗଡ଼ ୩୮.୮ ଡିଗ୍ରୀ, ଭଦ୍ରକ ୩୭.୪ ଡିଗ୍ରୀ, ରାୟଗଡ଼ା ୩୭.୮ ଡିଗ୍ରୀ, ଛତ୍ରପୁର ୩୮ ଡିଗ୍ରୀ, କୋରାପୁଟ ୩୪.୬ ଡିଗ୍ରୀ, ଭୁବନେଶ୍ୱର ୩୪.୪ ଡିଗ୍ରୀ କଟକ, ୩୪.୨ ଡିଗ୍ରୀ, ବାଲେଶ୍ୱର ୩୪.୬ ଡିଗ୍ରୀ ଏବଂ ଅନୁଗୋଳରେ ୩୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
