ପଞ୍ଚଭୂତରେ ଲୀନ ହେଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ପୁଅ ବିଶାଳ ଦେଲେ ମୁଖାଗ୍ନି
ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ତାଙ୍କୁ ବିଦାୟ ଦେଇଛନ୍ତି ହଜାର ହଜାର ଶୋକାକୁଳ ଜନତା। ଝାରସୁଗୁଡ଼ା- ସମ୍ବଲପୁର ମଝିରେ ବୋହି ଯାଇଥିବା ଭେଡେନ ନଦୀର ଖେରୁଆଳ ପୋଲ ତଳେ ତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଯାଇଛି। ପୁଅ ବିଶାଳ ମୁଖାଗ୍ନି ଦେଇଛନ୍ତି।
ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ନବଙ୍କ ପାର୍ଥିବ ଶରୀର ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଝାରସୁଗୁଡ଼ା ବିମାନ ବନ୍ଦରରେ ଅପେକ୍ଷା କରିଥିଲେ ହଜାର ହଜାର ଶୁଭେଚ୍ଛୁ ଓ ଜନତା। ସେଠାରୁ ତାଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନମୋହନ ଏମ୍ଇ ସ୍କୁଲ ପଡିଆକୁ ଅଣାଯାଇଥିଲା। ପରିବାର ଲୋକଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ। ସେଠାରୁ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବିଭିନ୍ନ ବିଧି ପାଳନ ପରେ ଖେରୁଆଳ ନିକଟସ୍ଥ ଶ୍ମଶାନକୁ ଅଣାଯାଇଥିଲା।
ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯିବା ପରେ ଏକମାତ୍ର ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ। ନବ ଦାସ ଅମର ରହେ ଧ୍ବନୀରେ ସାରା ଝାରସୁଗୁଡ଼ା ପ୍ରକମ୍ପିତ ହୋଇଛି। ଲୋତକପୂର୍ଣ ନୟନରେ ଲୋକେ ବିଦାୟ ଦେଇଛନ୍ତି ତାଙ୍କ ପ୍ରିୟ ନେତାଙ୍କୁ।
