ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟାକାଣ୍ଡ ମାମଲା, ଖେଳନା ବନ୍ଧୁକ ଧରି ଡେମୋ ଦେଖାଇଲା ଅଭିଯୁକ୍ତ
ଝାରସୁଗୁଡା: ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମ ସ୍ପଟରେ କ୍ରାଇମ୍ ସିନ୍ ରିକ୍ରିଏସନ । ମନ୍ତ୍ରୀ ନବ ଦାସଙ୍କୁ କିଭଳି ଏବଂ କେମିତି ହତ୍ୟା କଲା ତାର ଡୋମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ। କ୍ରାଇମବ୍ରାଞ୍ଚ ଏବଂ ପୋଲିସ୍ ଉପସ୍ଥିତିରେ ଗୋପାଳ ଖେଳନା ବନ୍ଧୁକ ଦେଖାଇ ଡୋମୋ ଦେଖାଇଛି। ଏହା ପୂର୍ବରୁ ବ୍ରଜରାଜନଗର ଗାନ୍ଧୀଛକ ସ୍ଥିତ ଘଟଣାସ୍ଥଳକୁ ଅଭିଯୁକ୍ତ ଗୋପାଳକୁ ଅଣାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଡ୍ରୋନ ସାହାଯ୍ୟରେ ସିନ ରିକ୍ରିଏସନର ରେକର୍ଡିଂ କରାଯାଇଛି।
ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତର ତଦାରଖ ପାଇଁ ଝାରସୁଗୁଡା ଯାଇଛନ୍ତି ଜଷ୍ଟିସ ଜେ.ପି ଦାସ। ସେଠାରେ ସେ ତଦନ୍ତକାରୀ ଅଧିକାରୀଙ୍କ ସହ କରିବେ ଆଲୋଚନା କରିବେ। ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ ହେଉଛି କ୍ରାଇମବ୍ରାଞ୍ଚ ତଦନ୍ତ। ଦାସଙ୍କ ସହ ପୋଲିସ ଡିଜି ସୁନିଲ ବଂଶଲ୍, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଓ ଆଇନ ଶୃଙ୍ଖଳା ଏଡ଼ିଜି ଆରକେ ଶର୍ମା ମଧ୍ୟ ଝାରସୁଗୁଡା ପହଞ୍ଚିଛନ୍ତି।
ସୂଚନା ଯେ, ଗତ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ଜିଲାର ବ୍ରଜରାଜନଗର ନିକଟସ୍ଥ ଗାନ୍ଧୀ ଛକରେ ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଦୋଷ ବି ସ୍ଵୀକାର କରି ସାରିଛି ଗୋପାଳ। ତେବେ ଘଟଣାକୁ ଆଠ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ଜାଣି ପାରିନାହିଁ କ୍ରାଇମବ୍ରାଞ୍ଚ। ଏହି ତଦନ୍ତକାରୀ ସଂସ୍ଥାର ତଦନ୍ତକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି।
