ପଥର ସନ୍ଧିରେ ଫସିଲା ମୁଣ୍ଡ, ୧୦ ଘଣ୍ଟାର ଅପରେସନ ପରେ ନାବାଳକ ଉଦ୍ଧାର
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ଅନ୍ତର୍ଗତ ବରିପଦାର ଗାଁ ସୀମାନ୍ତରେ ଏକ ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ କରାଘାଟି ଗାଁରେ ନାବାଳକ ଛେଳି ଚରାଳିଙ୍କ ମୁଣ୍ଡ ପଥର ସନ୍ଧିରେ ଫସିଯାଇଥିଲା। ଦୀର୍ଘ ୧୦ ଘଣ୍ଟାର କସରତ ପରେ ବାଳକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ବାଳକ ଜଣଙ୍କୁ ପାତ୍ରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ଏବେ ନାବାଳକଭ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କରାଘାଟି ଗ୍ରାମର ଜଣେ ୧୨ ବର୍ଷୀୟ ବାଳକ ଗୁରୁବାର ପୂର୍ବାହ୍ନରେ ନିକଟସ୍ଥ କରାଘାଟି ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିଲେ। ପାହାଡ଼ ଉପରେ ଛେଳି ଚରାଇବା ସମୟରେ ବାଳକଙ୍କ ମୁଣ୍ଡ ଦୁଇ ପଥର ସନ୍ଧିରେ ଫସି ଯାଇଥିଲା। ଗୋଡ଼ ଦୁଇଟି ଉପରେ ଥିବା ବେଳେ ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା। ବାଳକଙ୍କ ମୁଣ୍ଡ କେମିତି ପଥର ସନ୍ଧିରେ ଫସିଲା ତାହା ଅସ୍ପଷ୍ଟ ରହିଛି। ତେବେ ପଥର ଦେହରେ ବାଳକ ଜଣଙ୍କ ଶୋଇପଡ଼ିଥିବା ସମୟରେ ଖସିପଡି ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପୂର୍ବାହ୍ନ ୧୦ଟା ସମୟରେ ବାଳକଙ୍କ ମୁଣ୍ଡ ପଥର ସନ୍ଧିରେ ଫସିଥିଲା। ବାଳକଙ୍କ ଚିତ୍କାର ଶୁଣି ନିକଟରେ ଥିବା ଜଣେ ବ୍ୟକ୍ତି ପାଖକୁ ଯାଇ ଦେଖିଲା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମର କିଛି ଲୋକ ଘଟଣା ସ୍ଥଳରେ ପହଂଚି ବାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ବାଳକଙ୍କ ମୁଣ୍ଡ ବାହାରକୁ ବାହାରି ନଥିଲା। ଅପରାହ୍ନରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ଏହି ଖବର ଶୁଣି ତୁରନ୍ତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ।
ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖୋଦ ବିଡ଼ିଓଙ୍କ ସମେତ ଜିପିଇଓ ମଣ୍ଟୁ ସ୍ୱାଇଁ ମଧ୍ୟ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ୧୦ ଘଣ୍ଟାର କସରତ ପରେ ରାତ୍ର ୮ ଘଣ୍ଟା ସମୟରେ ନାବାଳକଙ୍କୁ ପଥର ସନ୍ଧିରୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ପରେ ବାଳକଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ବିଡ଼ିଓଙ୍କ ଗାଡିରେ ନାବାଳକଙ୍କୁ ପାତ୍ରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ଜଣାପଡିଛି। ପାତ୍ରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ପଚିକିତ୍ସା ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯଇଥିଲା। ବର୍ତ୍ତମାନ ନାବାଳକ ଜଣକ ସୁସ୍ଥ ଥିବା ଜଣାପଡିଛି। ପିଲାକୁ ଉଦ୍ଧାର କରିବାକୁ ତତ୍ପରତା ଦେଖାଇଥିବାରୁ ବିଡ଼ିଓ ଓ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି।
