ହଷ୍ଟେଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
କଟକ : କଟକ ଜିଲା ଓଲଟପୁର ଥାନା ଅଧୀନ ଦେବକୀ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା। ଏଠାକାର ୧୮ ନଂ ରୁମରେ ଅଡ଼ଶପୁର ୟୁ ଏନ୍ କଲେଜ୍ ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ରୀ ରଶ୍ମିରେଖା ଖିଲାର (୨୦) ବେକରେ ଓଢ଼ଣୀ ଦେଇ ଫ୍ୟାନରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଓଲଟପୁର ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାରଲୋକେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲାର କୁଆଖିଆ ଥାନା ବେଦର୍ ମତି ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତ ରାତିରେ ଏହି ଭିତର ପଟୁ କବାଟ ଦେଇ ଆତ୍ମହତ୍ୟା କରିଥିବା ବେଳେ ଓଲଟପୁର ଥାନା ଆଇ ଆଇ ସି ବିଜୟ ସାହୁଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା। ଦେଖିଲା ବେଳକୁ ମୃତଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଛି। ପରିବାର ପକ୍ଷରୁ ଛାତ୍ରୀଙ୍କର ପିତା ହୃଷିକେଶ ଖିଲାର ଓଲଟପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ କହିବା ମୁତାବକ ସୋମବାର ଦୀପାବଳି ଦିନ ଝିଅ ନିଖୋଜ ନେଇ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ ହଷ୍ଟେଲ ମାଲିକ । ପରିବାର ଲୋକ ଖବର ପାଇ ହଷ୍ଟେଲରେ ଆସି ପହଞ୍ଚିଥିଲେ । ପରିବାର ଲୋକଙ୍କୁ ହଷ୍ଟେଲ ମାଲିକ କହିଥିଲେ ଯେ, ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲରେ ରୁମରେ ଝିଅର ଝୁଲନ୍ତା ମୃତହେହ ଦେଖି ତାଜୁବ ହୋଇଯାଇଥିଲେ ପରିବାର ଲୋକ ।ପାରିପାର୍ଶ୍ୱିତ ସ୍ଥିତି ଦେଖିବା ପରେ ଲାଗିଥିଲା ଯେ ଝିଅକୁ ହତ୍ୟା ପରେ ମାରି ଟାଙ୍ଗି ଦିଆଯାଇ ଥିବା ନେଇ ଅଭିଯୋଗ ଆଣିଛନ୍ତି ଝିଅର ବଡବାପା । ବଡବାପାଙ୍କ ଅଭିଯୋଗ ଅନୁଯାୟୀ ଝିଅ ମୃତଦେହ ଝୁଲୁଥିବା ଓଢଣୀରେ ପଡିଥିଲା ଅନେକ ଗଣ୍ଠି । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ, ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ ।
