ଜ୍ଞାନବାପୀ ମସଜିଦ ମାମଲା, ଆଜି ଶୁଣାଣି
ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦ ମାମଲା । ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହେବ । ଏହା ସହ ବାରାଣସୀ କୋର୍ଟର ଶୁଣାଣି ଉପରେ ସ୍ଥଗିତାଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ସର୍ଭେ ବେଳେ ମସଜିଦ ଭିତରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗର ସନ୍ଧାନ କରାଯାଇଛି ବୋଲି ଜଣେ ଓକିଲ ଦାବି କରିବା ପରେ ଏହାକୁ ନେଇ ବିବାଦ ବଢ଼ିଥିଲା । ସେପଟେ ଭିଡିଓ ସର୍ଭେର ରିପୋର୍ଟ ବାରାଣସୀ କୋର୍ଟରେ ଦାଖଲ ହୋଇଛି । ରିପୋର୍ଟ ଦାଖଲ ବେଳେ କୋର୍ଟ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ସହକାରୀ କମିଶନର ବିଶାଳ ସିଂ ଓ ଦୁଇ ପକ୍ଷର ପ୍ରତିନିଧି ଉପସ୍ଥିତ ଥିଲେ । ବିଶାଳ କହିଛନ୍ତି- ସର୍ଭେର ଭିଡିଓ କ୍ଲିପକୁ ସିଲଯୁକ୍ତ କଭରରେ ଦାଖଲ କରାଯାଇଛି । ଏହି ରିପୋର୍ଟକୁ ବାରାଣସୀ ସିଭିଲ ଜଜ୍ ସିନିୟର ଡିଭିଜନ ରବି କୁମାର ଦିବାକରଙ୍କ ନିକଟରେ ଦାଖଲ କରାଯାଇଛି । ଏହି ରିପୋର୍ଟ ୧୦ରୁ ୧୫ ପୃଷ୍ଠା ସମ୍ବଳିତ ହୋଇଥିବା ସୂଚନା ମିଳିଛି ।ଅନ୍ୟପକ୍ଷରେ ଏହି ମାମଲାର ଶୁଣାଣି ସ୍ଥଗିତ କରିବା ଲାଗି ଦାବି କରିଛନ୍ତି ହିନ୍ଦୁ ପିଟିସନକାରୀଙ୍କ ପ୍ରତିନିଧି ଆଡଭୋକେଟ ବିଷ୍ଣୁ ଶଙ୍କର ଜୈନ । ଗତ ମଙ୍ଗଳବାର ତଥାକଥିତ ଶିବଲିଙ୍ଗ ଠାବ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବଳୟରେ ରଖିବା ଲାଗି ବାରାଣସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
