ଗୁଜରାଟ : ଭାଜପା ବିଧାୟକ ଦଳର ନେତାଙ୍କ ନିର୍ବାଚନ ପାଇଁ ରାଜନାଥ, ୟେଦିୟୁରପ୍ପା ଏବଂ ମୁଣ୍ଡା ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ : ଗୁଜରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ସଫଳତା ପରେ ବିଧାୟକ ଦଳର ନିର୍ବାଚନ ପାଇଁ ଅଧ୍ୟକ୍ଷ ଜେ.ପି. ନଡ୍ଡା ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମେତ ତିନି ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରିଛନ୍ତି । ଏହି ତିନି ନେତା ଖୁବ୍ଶୀଘ୍ର ଗୁଜରାଟ ଯାଇ ବିଧାୟକ ଦଳର ନେତାଙ୍କ ଚୟନ କରିବା ପ୍ରକ୍ରିୟା ପୂର୍ଣ୍ଣ କରାଇବେ । ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ରକ୍ଷାମନ୍ତ୍ରୀ ରାଜନାଥ ସିଂହ, କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ କେନ୍ଦ୍ର ଜନଜାତୀୟ କାର୍ଯ୍ୟ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଏହି ତିନି ନେତା ଗୁଜରାଟ ଯାଇ ଭାଜପା ବିଧାୟକଙ୍କ ଠାରୁ ବିଧାୟକ ଦଳର ନେତାଙ୍କ ନାମ ଉପରେ ତାଙ୍କ ରାୟ ନେବେ । ତା’ପରେ ବିଧାୟକ ଦଳର ନେତାଙ୍କ ନାମ ଘୋଷିତ କରାଯିବ ।
