କେମିତି ଛିଣ୍ଡିଲା ମୋର୍ବି ଝୁଲା ପୋଲ, ସାମ୍ନାକୁ ଆସିଲା ହୃଦୟ ବିଦାରକ ସିସିଟିଭି ଭିଡିଓ
ଗାନ୍ଧିନଗର: ଗୁଜରାଟର ମୋର୍ବି ଝୁଲାପୋଲ କେମିତି ଛିଣ୍ଡିଲା? ଏଥିପାଇଁ ଦାୟୀ କିଏ? ଏହି ଦୁଇଟି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଏହାରି ଭିତରେ ମୋର୍ବି ଝୁଲାପୋଲ ଦୁର୍ଘଟଣାର ଲାଇଭ୍ ଭିଡିଓ ସାମନାକୁ ଆସିଛି। ବ୍ରିଜରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ପୂରା ଦୁର୍ଘଟଣାର ହୃଦୟବିଦାରକ ଦୃଶ୍ୟ କଏଦ ହୋଇଛି। ସେପଟେ ଲଗାତର ମାଛୁ ନଦୀର ମୃତଦେହ ଉଦ୍ଧାର ହେଉଛି।
ମୋର୍ବି ଜିଲ୍ଲା ପ୍ରଶାସନ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୩୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ସେନା, ଏନଡିଆରଏଫ ଓ ଏସଡିଆରଏଫର ରସ୍କ୍ୟୁ ଅପରେସନ ଜାରି ରହିଛି। ଗୋଳିଆ ପାଣି ଓ ପଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଆଉ ୫ରୁ ୬ ଜଣ ନିଖୋଜ ଥିବା କୁହାଯାଉଛି। ସେପଟେ ଦୁର୍ଘଟଣାର ଲୋମହର୍ଷଣକାରୀ ସିସିଟିଭି ଫୁଟେଜ ସାମନାକୁ ଆସିଛି। ପ୍ରତ୍ୟେକ୍ଷଦର୍ଶୀ କହିବାନୁସାରେ, ଦୁର୍ଘଟଣା ସମୟରେ ପୋଲ ଉପରେ ପ୍ରାୟ ୭୦୦ ଜଣ ଥିଲେ।
ଝୁଲାପୋଲ ଛିଣ୍ଡିବାର ୧୪ ସେକେଣ୍ଡ ପୂର୍ବର ଏକ ସିସିଟିଭି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲ ଉପରେ ପ୍ରବଳ ଭିଡ ଥିଲା। କିଛି ଲୋକ ପୋଲ ଉପରେ ଡେଉଁଥିବା ବେଳେ କିଛି ଯୁବକ ପୋଲକୁ ଜୋର ଜୋରରେ ହଲାଉଥିଲେ। ଆଉ ହଠାତ ଝୁଲା ପୋଲଟି ଛିଣ୍ଡି ପଡିଥିଲା। ଝୁଲାପୋଲ ଛିଣ୍ଡିବା ମାମଲାର ତଦନ୍ତ ପାଇଁ ଗଠନ କରାଯାଇଥିବା କମିଟି ଯାଞ୍ଚ ଆରମ୍ଭ କରିଛି। ପ୍ରଥମିକ ରିପୋର୍ଟରେ କ୍ଷମତା ଠାରୁ ଅଧିକ ଲୋକ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ମୋର୍ବି ଝୁଲାପୋଲର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅରିଭା ଗ୍ରୁପ ବିରୁଦ୍ଧରେ ଆଇପିସିର ଦଫା ୩୦୪, ୩୦୮ ଓ ୧୪୪ ଅନୁସାରେ ମାମଲା ରୁଜୁ କରାଯାଇଛି।
କୁହାଯାଉଛି ଯେ, ମୋର୍ବି ଝୁଲାପୋଲର ରକ୍ଷଣବେକ୍ଷଣ ପାଇଁ ଅରିଭା ଗ୍ରୁପର ଅଜନ୍ତା ଇନଫ୍ରା ପାଇଭେଟ୍ ଲିମିଟେଡକୁ ଟେଣ୍ଡର ଦିଆଯାଇଥିଲା। ୨୦୨୨ରୁ ୨୦୩୭ ମସିହା ପାଇଁ ଚୁକ୍ତି ହୋଇଥିଲା। ଆଉ ମରାମତି ପାଇଁ ୮ରୁ ୧୨ ମାସ ସମୟ ଦିଆଯାଇଥିଲା। କିନ୍ତୁ ମାତ୍ର ୫ ମାସରେ ମରାମତି ଶେଷ କରି ଉକ୍ତ ସଂସ୍ଥା ଝୁଲାପୋଲକୁ ସର୍ବସାଧାରଣ ପାଇଁ ଖୋଲି ଦେଇଥିଲା। ମୋର୍ବି ପୌରାଧିକାରୀ ଅନୁସାରେ ପୋଲ ଖୋଲିବା ପାଇଁ କୌଣସି ଅନୁମତି ନିଆଯାଇନଥିଲା। ରବିବାର ସନ୍ଧ୍ୟାରେ ପୋଲରେ ପ୍ରବଳ ଭିଡ ହୋଇଥିଲା, ତଥାପି ଲଗାତର ଟିକଟ କଟାଯାଇ ଭିତରେ ଛଡା ଯାଉଥିଲା।
ଚୁକ୍ତି ଅନୁସାରେ, ଝୁଲାପୋଲରେ ପ୍ରବେଳ ପାଇଁ ଟିକଟ ବ୍ୟବସ୍ଥା ଅଛି। ଅଜନ୍ତା ଇନଫ୍ରା ପାଇଭେଟ୍ ଲିମିଟେଡ ପକ୍ଷରୁ ଏହି ଦେୟ ଆଦାୟ କରାଯିବ। ପ୍ରଥମ ବର୍ଷରେ ମୁଣ୍ଡପିଛା ୧୫, ଦ୍ୱିତୀୟ ବର୍ଷରେ ୧୭ ଓ ତୃତୀୟ ବର୍ଷରେ ୧୯ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଚୁକ୍ତିର ଗୋଟିଏ ବର୍ଷ ନ ପୁରୁଣୁ ଦୁର୍ଘଟଣା ଘଟିଛି। ମୋର୍ବି ଝୁଲାପୋଲ ପ୍ରାୟ ୧୪୦ ବର୍ଷ ପୁରୁଣା ହେବ। ପ୍ରଥମେ ଏହା କାଠରେ ନିର୍ମାଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେଥିରେ ଆଲୁମିନିୟର ବ୍ୟବହାର ହୋଇଥିଲା। ପୋଲର ରକ୍ଷଣବେକ୍ଷଣ ପାଇଁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।
