ରାସ୍ତାକଡ ଦୋକାନୀଙ୍କ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି : ହାତରେ ଗ୍ଲୋବସ, ମୁଣ୍ଡରେ କ୍ୟାପ ଓ ମାସ୍କ ପିନ୍ଧିବେ ବ୍ୟବସାୟୀ
ରାସ୍ତାଉପରେ, ଫୁଟ୍ପାଥ ଏବଂ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ
ଭୁବନେଶ୍ୱର : ଭୁବନେଶ୍ୱରରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି । ବିଏମ୍ସି ପକ୍ଷରୁ ଖାଦ୍ୟ ଦୋକାନୀ ଓ ସେମାନଙ୍କର ସଂଗଠନ ପାଇଁ ଗାଇଡ ଲାଇନ୍ ଜାରି କରିଛି ।
ଆଦେଶାନୁସାରେ ରାସ୍ତାଉପରେ, ଫୁଟ୍ପାଥ ଏବଂ ଡ୍ରେନ୍ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ । ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବାସ୍ଥାନରେ ଖାଦ୍ୟ ଦୋକାନୀ ବିକି ପାରିବେ ନାହିଁ । ଏଭଳି କ୍ଷେତ୍ରରେ ସେମାନେ ପାର୍ସଲ ଦେଇପାରିବେ । ଅଥବା ଅନ୍ଲାଇନ୍ ଡେଲିଭରି କରିପାରିବେ ।

ବିଏମ୍ସିର ଗାଇଡଲାଇନ୍ ଅନୁସାରେ ରାସ୍ତାକଡ଼ରେ ଖାଦ୍ୟ ଦେକାନ ପରିଚାଳନ ପାଇଁ ଖାଦ୍ୟ ଦୋକାନୀଙ୍କୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ହେବ ଏବଂ ପାର୍କିଂ ସ୍ଥାନ ଥିବା ଦରକାର । ସେହିଭଳି ଖାଦ୍ୟ ଦୋକାନରେ କାମ କରୁଥିବା ବ୍ୟକ୍ତି ପରିଷ୍କାର ପୋଷାକ ପିନ୍ଧିବା (ମୁଣ୍ଡ ଟୋପି, ସଫା ଆପ୍ରନ, ହ୍ୟାଣ୍ଡ ଗ୍ଲୋଭ୍ସ ଏବଂ ଫେସ୍ ମାସ୍କ) ଆବଶ୍ୟକ । ମୋଟାମୋଟି ଭାବେ ଦୋକାନୀମାନେ ସୁସ୍ଥ ପରିବେଶରେ ଖାଦ୍ୟ ପରଷିବା ଦରକାର । ଏଥି ସହିତ ଖାଦ୍ୟ ଦୋକାନୀ ଖାଦ୍ୟ ସୁରକ୍ଷା ନିୟମକୁ ପାଳନ କରିବେ । ନୋ ଭେଣ୍ଡିଂ ଜୋନ୍ ରେ ଖାଦ୍ୟ ଦେକାନ ରହିପାରିବ ନାହିଁ । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ କରାଯାଇଛି। ଯାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶନମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯଦି କୌଣସି ଷ୍ଟ୍ରୀଟ ଫୁଡ଼ ଭେଣ୍ଡର ନିୟମ ନ ମାନିଲେ ତେବେ ଖିଲାପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
