ଜୁଲାଇରେ ଜିଏସଟି ସଂଗ୍ରହରେ ୫୪% ଅଭିବୃଦ୍ଧି
କଟକ : ୨୦୨୧ ମସିହା ଜୁଲାଇ ମାସରେ ଓଡିଶାରେ ୩୬୧୫ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ୨୦୨୦ ଜୁଲାଇ ମାସରେ ଏହଗି ପରିମାଣ ଥିଲା ୨୩୪୮ କୋଟି ଟଙ୍କା । ଫଳରେ ରାଜ୍ୟ ୫୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବାରେ ସଫଳ ହୋଇଛି । ମୋଟ ଜିଏସଟିରେ ଏହା ହେଉଛି କୈାଣସି ମାସର ଦ୍ୱିତୀୟ ସର୍ବାଧିକ ସଂଗ୍ରହ । ଏଥିପୂର୍ବରୁ ୨୦୨୧ ଏପ୍ରିଲରେ ୩୮୪୬ କୋଟି ଟଙ୍କାର ଜିଏସଟି ସଂଗୃହୀତ ହୋଇଥିଲା । ସେହିପରି ଦେଶର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ଅଭିବୃଦ୍ଧି ହାର ମହାରାଷ୍ଟ୍ର ପରେ ଦ୍ୱିତୀୟ ସର୍ବାଧିକ । ଅପରପକ୍ଷରେ ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ଆଦାୟ ହୋଇଥିବା ମୋଟ ଜିଏସଟି ପରିମାଣ ହେଉଛି ୧୩୬୬୧ କୋଟି ଟଙ୍କା । ୨୦୨୦ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପରିମାଣ ଥିଲା ୭୫୪୦ କୋଟି ଟଙ୍କା । ଫଳସ୍ୱରୂପ ଏଥିରେ ୮୧ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ୨୦୧୬ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ୍ ଜିଏସଟି ସଂଗ୍ରହ ଥିଲା ୧୦,୫୧୩ କୋଟି ଟଙ୍କା । ୨୦୨୧ ଜୁଲାଇ ମାସରେ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ରହିଛି ୧୦୬୭ କୋଟି ଟଙ୍କା । ଗତବର୍ଷ ଏହି ସମୟରେ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ଥିଲା ୭୬୪ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୩୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହା ପୂର୍ବରୁ ୨୦୨୧ ଏପ୍ରିଲ ମାସରେ ୧୧୨୬ କୋଟି ଟଙ୍କାର ରାଜ୍ୟ ଜିଏସଟି ସଂଗ୍ରହ କରାଯାଇଥିଲା । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ରହିଛି ୩୮୮୦ କୋଟି ଟଙ୍କା । ଇ-ୱେବିଲ ନିର୍ଗମନ କ୍ଷେତ୍ରରେ ମଧ୍ୟ ୨୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୦ ଜୁଲାଇ ମାସରେ ୧୧.୨୩ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବା ବେଳେ ଚଳିତବର୍ଷ ଜୁଲାଇରେ ୧୪.୪୩ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଛି ।
ନିୟମିତ ସର୍ଭେ ଓ ପୀକରଣ ମାଧ୍ୟମରେ ଟିକସ ପରିସର ବୃଦ୍ଧି କରାଯିବା ଉପରେ ରାଜ୍ୟ ବାଣିଜ୍ୟକରଓ ଜିଏସଟି ସଂସ୍ଥା ଗୁରୁତ୍ୱ ଦେଇଆସୁଛି । ୨୦୨୧-୨୨ ଆର୍ଥିଲା କ ବର୍ଷର ଏଯାବତ ୯୩୮୬ ଜଣ ଟିକସଦାତାଙ୍କୁ ଜିଏସଟି ଆଇନ ପରିସରଭୁକ୍ତ କରାଯାଇଛି । ନିକଟରେ କେନ୍ଦ୍ର ଓ ରାଜ୍ୟର ଟିକସ ଅଧିକାରୀଙ୍କର ଏକ ସମୀକ୍ଷା କରି ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ନିରଂଜନ ପୂଜାରୀ ବ୍ୟବସାୟୀମାନଙ୍କର ରିଟର୍ଣ୍ଣ ଦାଖଲରେ ଅଧିକ ଉନ୍ନତି ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଟିକସ ଚୋରି ଧରିବା ସହ ଏହାକୁ ବନ୍ଦ କରିବା ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଯୋଗ୍ୟ ଟିକସଦାତାଙ୍କୁ ଟିକସ ପରିସରଭୁକ୍ତ କରିବା ଉପରେ ଏବଂ ବୈଷିୟକ ଜ୍ଞାନ କୈାଶଳ ବ୍ୟବହାର କରି ତଦାରଖ ପ୍ରକ୍ରିୟାରେ ଅଧିକ ସୁଧାର ଆଣିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସଚ୍ଚୋଟ ଟିକସଦାତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ସହ ସେମାନେ ଯେପରି ଅଯଥାରେ ହଇରାଣ ହରକତ ନ ହୁଅନ୍ତି ସେଦିଗରେ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
