ମୂର୍ତ୍ତି ଉଚ୍ଚତା ଓ ପରଦା ଉଚ୍ଛେଦକୁ ନେଇ ୨ ଦିନ ଭିତରେ ନିଷ୍ପତ୍ତି
- ସରକାର-ପୂଜା କମିଟି ବୈଠକ ଶେଷ
ଭୁବନେଶ୍ୱର : ପୂଜାରେ ମୂର୍ତି ଉଚ୍ଚତା ପ୍ରସଙ୍ଗ ନେଇ ଆଜି ବୈଠକ ଡାକିଥିଲେ ରାଜ୍ୟ ସରକାର । ବୈଠକରେ କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ । କରୋନା ସଂକ୍ରମଣକୁ ଆଖିଆଗରେ ରଖି ସରକାର ପାର୍ବଣରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଏବଂ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଏହାକୁ ପୂଜା କମିଟିମାନେ ବିରୋଧ କରିବା ସହ ଏହି କଟକଣା କୋହଳ କରିବା ପାଇଁ ଦାବି କରିଥିଲେ । ଆଜି ଏ ନେଇ ସରକାର ଏବଂ ପୂଜା କମିଟି ମଧ୍ୟରେ ବୈଠକ ହୋଇଥିବା ବେଳେ ଆଗାମୀ ୨ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ବୈଠକ ଶେଷ ହେବା ପରେ କଟକ ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ୨ ଦିନ ମଧ୍ୟରେ ସରକାର ମୂର୍ତ୍ତିର ଉଚ୍ଚତା ଏବଂ ପରଦା ଉଚ୍ଛେଦକୁ ନେଇ ନିଷ୍ପତ୍ତି ନେବେ । ଗଣେଷ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ଏହା ସହ ଦୁର୍ଗା ପୂଜା ସମୟରେ ରାଜ୍ୟରେ କରୋନା ସ୍ଥିତି ଦେଖି ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ପୂଜା ମଣ୍ଡପରେ ୩ ପଟ ପରଦା ରହିବ କି ନାହିଁ ଅକ୍ଟୋବର ମାସ ଦୁର୍ଗା ପୂଜା ସମୟରେ ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ସରକାର । ବୈଠକରେ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଶାନ୍ତି କମିଟି ଓ ଦୁର୍ଗା ପୂଜା କମିଟି ସ୍ବାଗତ କରିଥିବା କହିଛନ୍ତି ପ୍ରଭାତ ରଞ୍ଜନ ତ୍ରିପାଠୀ । ଏହା ସହ ସେ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଂଗରେ ସରକାର ପ୍ରାୟତଃ ସହମତି ପ୍ରକାଶ କରିଛନ୍ତି । ଉଚ୍ଚତା ବୃଦ୍ଧିରେ କୌଣସି ସମସ୍ୟା ନାହିଁ ବୋଲି ସରକାରଙ୍କ ମତ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଶାନ୍ତି କମିଟିର ଦେବେନ୍ଦ୍ର ସାହୁ ଓ ଭିକାରି ଦାସ ଉପସ୍ଥିତ ଥିଲେ।
ସୂଚନା ଯେ, ମଙ୍ଗଳବାର ଦିନ ବିଧାନସଭାରେ ମୂର୍ତି ପ୍ରସଙ୍ଗ ଉଠିଥିଲା । ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଥିଲେ ।
