ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର ! ୧୩% ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି
ନୂଆଦିଲ୍ଲୀ : ବିଗତ ଦିନରେ କେନ୍ଦ୍ର ସରକାର ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରିଥିଲେ । ବର୍ତ୍ତମାନ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସ ଖବର ରହିଛି । ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୩ ପ୍ରତିଶତ ବୃଦ୍ଧି କରାଯାଇଛି ।
ଅର୍ଥାତ ବର୍ତ୍ତମାନ ଏହି କର୍ମଚାରୀମାନଙ୍କୁ ଅନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପରି ମହଙ୍ଗା ଭତ୍ତା ମଧ୍ୟ ଦିଆଯିବ । କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ଏପରି ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗର ସୁବିଧା ପାଇନାହାଁନ୍ତି । ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ପଞ୍ଚମ ବେତନ ଆୟୋଗ ଅଧୀନରେ ଦରମା ପାଇଥିବା କର୍ମଚାରୀଙ୍କ ଡିଏ ବୃଦ୍ଧି ଘଟି ୩୮୧ ପ୍ରତିଶତକୁ ପହଞ୍ଚିଛି ଓ ଷଷ୍ଠ ବେତନ ଆୟୋଗ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଡିଏ ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତକୁ ବୃଦ୍ଧି ପାଇଛି । ଅର୍ଥାତ୍ ଏଥିରେ ୭ ପ୍ରତିଶତ ବୃଦ୍ଧି ହେବ । ବର୍ଦ୍ଧିତ ଡିଏର ଲାଭ ଜାନୁଆରୀ, ୨୦୨୨ରୁ ଲାଗୁ ହେବ । ଏହି କର୍ମଚାରୀମାନଙ୍କୁ ୩ ମାସର ବକେୟା ମଧ୍ୟ ଦିଆଯିବ । ଏହି କର୍ମଚାରୀମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗର ସୁବିଧା ମିଳିନାହିଁ । କେନ୍ଦ୍ରୀୟ ବିଭାଗ କିମ୍ବା ସ୍ୱୟଂଶାସିତ ସଂସ୍ଥାରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଏପର୍ଯ୍ୟନ୍ତ ସପ୍ତମ ବେତନ ଆୟୋଗରେ ସାମିଲ ହୋଇନାହାଁନ୍ତି । କିନ୍ତୁ ଅର୍ଥ ମନ୍ତ୍ରଣାଳୟର ଏହି ଘୋଷଣା ପରେ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗର ସୁପାରିଶ ଅନୁଯାୟୀ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ୭ ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ଲାଭ ମିଳିବ । ଏହି ଘୋଷଣା ସହିତ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ ।
ସୂଚନା ଯେ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଡିଏ ଓ ଡିଆରରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏକୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ ଡିଏ ୩୪ ପ୍ରତିଶତକୁ ପହଞ୍ଚିଥିଲା ।
