କେନ୍ଦ୍ର କର୍ମଚାରୀଙ୍କୁ ନୂଆ ବର୍ଷରେ ମିଳିବ ଖୁସି ଖବର, ବଢ଼ିବ ଗୃହ ଭଡ଼ା ଭତ୍ତା !
ନୂଆଦିଲ୍ଲୀ : କର୍ମଚାରୀଙ୍କୁ ପୁଣି ଥରେ ଖୁସି ଖବର ମିଳିପାରେ । ମୋଦି ସରକାର ନୂତନ ବର୍ଷରେ ମଧ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି । ଏହାପୂର୍ବରୁ ଦୀପାବଳିରେ ମୋଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଏବେ ଚର୍ଚ୍ଚା ଚାଲିଛି ଯେ କେନ୍ଦ୍ର ସରକାର ପୁଣି ଥରେ କର୍ମଚାରୀଙ୍କୁ ଖୁସି କରିପାରନ୍ତି । ଜାନୁଆରୀ ୨୦୨୨ ଆରମ୍ଭରେ ଗୃହ ଭଡ଼ା ଭତ୍ତା (ଏଚଆରଏ) ବୃଦ୍ଧି କରିବାକୁ ସରକାର ଘୋଷଣା କରିପାରନ୍ତି ।
୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଘର ଭଡ଼ା ଭତ୍ତାକୁ ଲାଗୁ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ମନ୍ଥନ ଆରମ୍ଭ କରିଛି । ଏହି ପ୍ରସ୍ତାବର ଅନୁମୋଦନ ପାଇଁ ରେଳ ବୋର୍ଡକୁ ଏକ ପ୍ରସ୍ତାବ ମଧ୍ୟ ପଠାଯାଇଛି । ଯଦି ଏହି ପ୍ରସ୍ତାବ ଅନୁମୋଦନ ହୁଏ, ତେବେ କର୍ମଚାରୀମାନେ ଜାନୁଆରୀ ୨୦୨୨ରେ ଏଚଆରଏ ପାଇବେ । ଭାରତୀୟ ରେଳବାଇ ବୈଷୟିକ ପର୍ଯ୍ୟବେକ୍ଷକ ସଂଘ ଓ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଳବାଇ ଜାନୁଆରୀ ୨୦୨୧ରୁ ଏଚଆରଏ କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି । ଘର ଭଡା ଭତ୍ତା ବୃଦ୍ଧି କରିବା ପରେ ଦରମା ବୃଦ୍ଧି ପାଇବ । ସେହିପରି ଯେଉଁ ସହରଗୁଡିକର ଜନସଂଖ୍ୟା ୫୦ ଲକ୍ଷରୁ ଅଧିକ ସେମାନେ ‘X’ ବର୍ଗ ଅଧୀନରେ ଆସନ୍ତି । ଏଥି ସହିତ ଯେଉଁ ସହରର ଜନସଂଖ୍ୟା ୫ ଲକ୍ଷରୁ ଅଧିକ, ସେମାନେ ‘Y’ ବର୍ଗରେ ପଡ଼ନ୍ତି । ୫ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ ‘Z’ ବର୍ଗରେ ଆସନ୍ତି । ସମସ୍ତ ତିନୋଟି ବର୍ଗ ପାଇଁ ସର୍ବନିମ୍ନ ଏଚଆରଏ ୫୪୦୦, ୩୬୦୦ ଏବଂ ୧୮୦୦ ଟଙ୍କା ହେବ । ବ୍ୟୟ ବିଭାଗ ଅନୁଯାୟୀ, ଯେତେବେଳେ ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବ, ସେତେବେଳେ ସର୍ବାଧିକ ଘର ଭଡା ଭଡା ୩୦ ପ୍ରତିଶତକୁ ବୃଦ୍ଧି ପାଇବ ।
