ସୁସ୍ଥ ହେଲେ ମହାପ୍ରଭୁ, ଆଜି ବନକଲାଗି ନୀତି
ପୁରୀ : ଅଣସର ଘରେ ଉପଚାର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ସ୍ନାନପୂର୍ଣ୍ଣିମା ତିଥିରେ ସ୍ନାନମଣ୍ଡପରେ ୧୦୮ ଗଡୁ ଜଳରେ ସ୍ନାନଯୋଗୁଁ ମହାପ୍ରଭୁ ଅସୁସ୍ଥ ହୋଇଥିଲେ। ସ୍ନାନପୂର୍ଣ୍ଣିମା ରାତିରୁ ଏପର୍ଯ୍ୟନ୍ତ ପ୍ରଭୁଙ୍କୁ ଅଣସର ଘରେ ରଖାଯାଇ ସେବାପୂଜା କରାଯାଉଛି। ମହାପ୍ରଭୁ ସୁସ୍ଥହେବା ପରେ ଚକାବିଜେ କରି ଶ୍ରୀଅଙ୍ଗରେ ଖଳିଲାଗି କରାଯାଇଛି। ସେହିପରି ତ୍ରୟୋଦଶୀ ତିଥିରେ ଘଣାଲାଗି ମଧ୍ୟ ଶେଷ ହୋଇଛି। ସୋମବାର ଓ ମଙ୍ଗଳବାର ବନକଲାଗି (ଶ୍ରୀମୁଖ ସିଂହାର) ନୀତି ଅନୁଷ୍ଠିତ ହେବ।
ଆଜି ବନକଲାଗି ନୀତି ଅନୁଷ୍ଠିତ ହେବା ସହ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ହେବ। ମଧ୍ୟ ରାତ୍ରରେ ଦତ୍ତ ମହାପାତ୍ରଙ୍କ ଦ୍ଵାରା ଶ୍ରୀମନ୍ଦିରକୁ ଖଡି ବିଜେ ପରେ ଆଜି ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହେବାର ପରମ୍ପରା ରହିଛି । ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଖଡ଼ି ପ୍ରସାଦ ଲାଗି ହେବ। ଆଗାମୀ ୨୯ ତାରିଖ ବୁଧବାର ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁଦ୍ଧାମୂର୍ତ୍ତି। ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ।
