ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଗୋନାସିକା କେନ୍ଦୁଝର ମହୋତ୍ସବ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚଳିତ ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଡିସେମ୍ବର ୧୮ରୁ ୨୫ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କାଳୀପଡିଆଠାରେ ଆୟୋଜନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ଅବସରରେ ଚଳିତ ଡିସେମ୍ବର ୧୬ ତାରିଖ ଦିନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ, କେନ୍ଦୁଝରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ କରୋନା ମହାମାରୀ ପରିପ୍ରେକ୍ଷୀରେ ଦୁଇବର୍ଷ ପରେ ଗୋନାସିକା କେନ୍ଦୁଝର ମହୋତ୍ସବ ଆୟୋଜନ କରାଯାଉଛି । ଏହି ଅବସରରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଖାଦ୍ୟମେଳା, ପୁସ୍ତକମେଳା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦୁଝର ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ, ପରଂପରା, ଗ୍ରାମୀଣ ଶିଳ୍ପକଳାର ପ୍ରଚାର, ପ୍ରସାର, ବିକାଶ ସହିତ ଶିଳ୍ପୀ, କଳାକାରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ ପଲ୍ଲିଶ୍ରୀ ମେଳାରେ ରାଜ୍ୟର ୨୬ଟି ଜିଲ୍ଲାର ତଥା ଭାରତର ୦୮ଟି ରାଜ୍ୟ ଯଥା ଦିଲ୍ଲୀ, ବିହାର, ପଞ୍ଜାବ, ଉତରପ୍ରଦେଶ, ଲଦାଖ, କାଶ୍ମୀର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପୀ, କାରିଗର ଅଂଶଗ୍ରହଣ କରିବେ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ/ଦ୍ରବ୍ୟ ପ୍ରଦର୍ଶିତ ହେବା ସହିତ ବିକ୍ରୟ ହେବ । ଯାହାକି ସେମାନଙ୍କର ଆର୍ଥୀକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏତଦ୍ବ୍ୟତୀତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର, ଜିଲ୍ଲାର ବିଭିନ୍ନ ଅଂଚଳର ଲୋକକଳା ନୃତ୍ୟଦଳ ସାଙ୍ଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ସୁନାମଧନ୍ୟ ଲୋକକଳା ନୃତ୍ୟଦଳ ଅଂଶଗ୍ରହଣ କରିବେ । ଏତଦ୍ବ୍ୟତୀତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର ଓ ଗୁଜୁରାଟ ଆଦି ରାଜ୍ୟର ଲୋକକଳା ଦଳ ଅଂଶଗ୍ରହଣ କରିବେ । ଏହା କେନ୍ଦୁଝର ତଥା ଓଡିଶା ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ସଦ୍ଭାବନା, ଭାଇଚାରା, ମୈତ୍ରୀ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିଷ୍ଠିତ କଳାକାର ଋତୁରାଜ ମହାନ୍ତି, ଅସୀମା ପଂଡା, ସତ୍ୟଜିତ୍ ଜେନା, ଚଳଚିତ୍ର ତାରକା ବାବୁସାନ ଏବଂ ମଣ୍ଟୁ ଛୁରିଆ ମଧ୍ୟ ଗୋନାସିକା କେନ୍ଦୁଝର ମହୋତ୍ସବରେ ଦଳ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ସୂଚନାଯୋଗ୍ୟ ଯେ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ସହିତ ଜିଲ୍ଲାରେ ବିଭିନ୍ନ ଅଂଚଳର ଲୋକନୃତ୍ୟ ଦଳ ଯଥା ଚାଙ୍ଗୁନୃତ୍ୟ, ସାନ୍ତାଳି ନୃତ୍ୟ, ମୁଣ୍ଡା ନୃତ୍ୟ, ପାଲା, ଖଂଜଣୀ ଭଜନ, ଝୁମର ନୃତ୍ୟ, ଛଉ ନୃତ୍ୟ, କଣ୍ଢେଇ ନୃତ୍ୟ ଦଳ ଅଂଶ ଗ୍ରହଣ କରିବେ । ପ୍ରତିଦିନ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ଲୋକକଳା ନୃତ୍ୟଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଏତଦ୍ବ୍ୟତୀତ ଡିସେମ୍ବର ୧୮ ତାରିଖ ସନ୍ଧ୍ୟାରେ ନୃତ୍ୟଭୂଷଣ ଡଃ ପିତାମ୍ବର ବିଶ୍ୱାଳଙ୍କ ଓଡିଶୀ ନୃତ୍ୟଦଳ (ଭୁବନେଶ୍ୱର), ସର୍ବେଶ୍ୱର ଭୋଇ (କଳାହାଣ୍ଡି)ଙ୍କ ଲୋକନୃତ୍ୟ ଦଳ, ପଶ୍ଚିମବଙ୍ଗର ଲୋକନୃତ୍ୟ ଦଳ, ଋତୁରାଜ ମହାନ୍ତି ଓ ଦଳ ଡିସେମ୍ବର ୧୯ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗର ନୃତ୍ୟଦଳ, ମହାରାଷ୍ଟ୍ରର ଲୋକନୃତ୍ୟ ଦଳ, ଆନ୍ଧ୍ରପ୍ରଦେଶର ଲୋକନୃତ୍ୟ ଦଳ, ପୁରୀର ମାଲଖମ୍ବ, ଆସାମର ବିହୁ, ଖୋର୍ଦ୍ଧାର ପାଇକ ଆଖଡା, ଅସୀମା ପଣ୍ଡା ଓ ଦଳ, ଡିସେମ୍ବର ୨୦ ତାରିଖରେ ଆସାମର ବିହୁ, ଆନ୍ଧ୍ରପ୍ରଦେଶର ଲୋକନୃତ୍ୟ ଦଳ, ମହାରାଷ୍ଟ୍ରର ଲୋକନୃତ୍ୟ ଦଳ, କଳାଜୀବୀ ବରଗଡ, ପଲ୍ଲବୀ ମୟୁରଭଞ୍ଜ, ଚାନ୍ଦିନୀ ଜେନା ଓ ସାଥି, ସତ୍ୟଜିତ୍ ଜେନା ଓ ଦଳ, ଡିସେମ୍ବର ୨୧ ତାରିଖରେ ଗଞ୍ଜାମର ପଶୁମୁଖା ନୃତ୍ୟଦଳ, କୋରାପୁଟର ଢେମ୍ସା, ପୁରୀର ଗୋଟିପୁଅ, ଗୁଜୁରାଟର ଲୋକନୃତ୍ୟ ଦଳ, ଚଳଚିତ୍ର ତାରକା ବାବୁସାନ ଓ ଦଳ, ଇସ୍ପାତ୍ କଳା ପରିଷଦ, ରାଉରକେଲା, ପଞ୍ଜାବର ଭାଙ୍ଗଡା ଏବଂ ବଲାଙ୍ଗିର ଜିଲ୍ଲାର ଶଙ୍କର ବେହେରାଙ୍କ ଦଳ, ଡିସେମ୍ବର ୨୨ ତାରିଖରେ ପଇଁରି ସୋନପୁର, ଅର୍ନ୍ତଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଓ ଦଳ, ପଞ୍ଜାବର ଭାଙ୍ଗଡା, ଗୁଜୁରାଟର ଲୋକନୃତ୍ୟ ଦଳ, ମଂଟୁ ଛୁରିଆ ଓ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଡିସେମ୍ବର ୧୮ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ କାଳୀପଡିଆଠାରେ ଉଦ୍ଘାଟନୀ ସମାରୋହ ଓ ଡିସେମ୍ବର ୨୨ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଉଦ୍ଘାଟନୀ ସମାରୋହରେ ଓଡିଶାର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ, ସମ୍ମାନନୀୟ ଅତିଥି ଭାବେ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସମ୍ମାନନୀୟ ଅତିଥି ଭାବେ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧୯ ତାରିଖ ଦିନ ଜିଲ୍ଲାର ବିଭିନ୍ନ ପୌରପାଳିକାର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଡିସେମ୍ବର ୨୦ ଓ ୨୧ ତାରିଖରେ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ସମ୍ମାନନୀୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ପ୍ରକାଶ କରିଥିଲେ । ଏତଦ୍ବ୍ୟତୀତ ମହୋତ୍ସବର ସୁପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଗୋନାସିକା କେନ୍ଦୁଝର ମହୋତ୍ସବର ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ଏବଂ ଆନନ୍ଦ ଉଲ୍ଲାସ ସହିତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉପଭୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଏତଦ୍ବ୍ୟତୀତ ଗୋନାସିକା-କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ପ୍ରଚାର, ପ୍ରସାର ନିମନ୍ତେ ଜିଲ୍ଲାପାଳ ଗଣମାଧ୍ୟମର ସକ୍ରିୟ ସହଯୋଗ କାମନା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ, କେନ୍ଦୁଝର ସଂଜୀବ ବାରିକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ, ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସପନ ଗୋସ୍ୱାମୀ, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାଏକ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
