ଆଜିଠୁ ୨୫୬ ଜିଲାରେ ଲାଗୁ ହେବ ଗୋଲ୍ଡ ହଲମାର୍କିଂ
ନୂଆଦିଲ୍ଲୀ : ଆଜି ଠାରୁ ପୂରା ଦେଶରେ ଏକକାଳୀନ ଲାଗୁ ହେଉଛି ଗୋଲ୍ଡ ହଲମାର୍କିଂର ନିୟମ । ପୂର୍ବରୁ ଜ୍ୱେଲର୍ସମାନେ ସରକାରଙ୍କୁ କହିଥିଲେ ଯେ, ସେମାନେ ଏବେ ଏହାକୁ ପୂରା ଲାଗୁ କରିବାକୁ ପ୍ରସ୍ତୁତ ନୁହନ୍ତି । ଏହି କ୍ରମରେ ବାଣିଜ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ନିର୍ଦ୍ଧାରିତ ହେଲା ଯେ, ଏକକାଳୀନ ଲାଗୁ କରାନଯାଇ ଅନେକ ପର୍ଯ୍ୟାୟରେ କରାଯିବ । ଅନ୍ୟପଟରେ ଛୋଟ ଜ୍ୱେଲର୍ସଙ୍କୁ ଗୋଲ୍ଡ ହଲମାର୍କିଂରୁ ବାହାରେ ରଖାଯାଇଛି ।
ପୀୟୁଷ ଗୋୟଲ ବୈଠକରେ ଘୋଷଣା କରିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ଆଜି ଅର୍ଥାତ ୨୦୨୧ ଜୁନ ୧୬ରେ ଦେଶର ୨୫୬ଟି ଜିଲ୍ଲାରେ ବାଧ୍ୟତାମୂଳକ ଭାବେ ହଲମାର୍କିଂ ଲାଗୁ ହେବ । ଏହି ଜିଲ୍ଲା ଗୁଡ଼ିକରେ ହଲମାର୍କିଂ ସେଣ୍ଟର ପୂର୍ବରୁ ରହିଛି । ସରକାର ଜ୍ୱେଲର୍ସ ନିର୍ମାତାଙ୍କୁ ସମୟ ଦେଇଛନ୍ତି । ସେପଟେମ୍ବର ୧ ତାରିଖ ମଧ୍ୟରେ ପୁରୁଣା ଷ୍ଟକରେ ହଲମାର୍କିଂ କରିବାକୁ ପଡ଼ିବ । ଏହାରି ମଧ୍ୟରେ କୌଣସି ବ୍ୟବସାୟୀଙ୍କୁ ଜରିମାନା କରାଯିବ ନାହିଁ ।
