ଭାଉଜକୁ ପନିକିରେ ହାଣିଲା ଦିଅର
କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ମିରିଗିମୁଣ୍ଡି ଗାଁରେ ସମ୍ପର୍କରେ ପଡିଲା ଫାଟ। ଭାଉଜକୁ ପନିକିରେ ହାଣିଲା ଦିଅର । ଭାଉଜଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ପନିକିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମିରିଗିମୁଣ୍ଡି ଗାଁର ରାମଚନ୍ଦ୍ର ପରିଡ଼ାଙ୍କ ସ୍ତ୍ରୀ ଝରଣା ଘରେ ଥିବା ଏକ ବାରିସିକୁ ନେଇ ନିଜ ସାନ ଜାଆଙ୍କ ମଧ୍ୟରେ ବୁଧବାର ସକାଳେ ଝଗଡ଼ା ହୋଇଥିଲା । ଏହି ସମୟରେ ରାମଚନ୍ଦ୍ରଙ୍କ ସାନ ଭାଇ ଲକ୍ଷ୍ମଣ ଘରେ ଅନୁପସ୍ଥିତ ଥିଲେ । ରାତିରେ ଲକ୍ଷ୍ମଣ କାମ ସାରି ଫେରିବା ପରେ ନିଜ ପତ୍ନୀଙ୍କ ସହ ଭାଉଜଙ୍କ ଝଗଡ଼ା ବିଷୟରେ ଖବର ପାଇଥିଲା । ଏଥିରେ ଲକ୍ଷ୍ମଣ ଉତ୍କ୍ଷିପ୍ତ ହୋଇ ଘରେ ଥିବା ଏକ ପନିକିରେ ଭାଉଜଙ୍କ ବେକକୁ ଚୋଟ ପକାଇଥିଲେ । ଠିକ୍ ଏହି ସମୟରେ ନିଜ ସାନଭାଇ କବଳରୁ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ରାମଚନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଯେଉଁଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି । ପରିବାର ଲୋକ ଘଟଣା ସଂପର୍କରେ ଜାଣି ପାରି ଝରଣାକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ପରିବାର ପକ୍ଷରୁ ଘଷିପୁରା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ପନିକିକୁ ଜବତ କରି ତଦନ୍ତ ଜାରି ରଖିଛି ।
