କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପାର୍ଟିର ସବୁ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡ଼ି ଦେଇଛନ୍ତି । ଗୁଲାମ ନବୀ କଂଗ୍ରେସର ଅତିରିକ୍ତ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଏଥିରେ କଂଗ୍ରେସର ଖରାପ ସ୍ଥିତି ଏବଂ ୨୦୧୪ ଲୋକସଭା ନିର୍ବାଚନ ହାର ଲାଗି ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ମିଡିଆ ସମ୍ମୁଖରେ ଅଧ୍ୟାଦେଶ ଚିରିବା ହେଉଛି ରାହୁଲଙ୍କ ଅପରିପକ୍ୱତାର ସବୁଠୁ ବଡ଼ ଉଦାହରଣ । ଏହି ପିଲାଳିଆମି ପାଇଁ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇଥିଲା ବୋଲି ଗୁଲାମ ନବୀ ଉଲ୍ଲେଖ କରିଛନ୍ତି ।
ଇସ୍ତଫା ପତ୍ରରେ ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ବଡ଼ ଦୁଃଖ ସହକାରେ ମୁଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିରୁ ନିଜର ଅଧା ଶତାଦ୍ଦୀ ପୁରୁଣା ସମ୍ପର୍କକୁ ଭାଙ୍ଗିବାର ନିଷ୍ପତ୍ତି ନେଇଛି । ୨୦୧୩ ଜାନୁଆରୀରେ ରାହୁଲ ଗାନ୍ଧୀଙ୍କୁ ଆପଣଙ୍କ ଦ୍ୱାରା ଅଧ୍ୟକ୍ଷ କରାଯାଇଥିଲା । ସମସ୍ତ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ କୋଣଠେସା କରି ଦିଆଗଲା ଓ ଅନଭିଜ୍ଞ ନେତା ପାର୍ଟିକୁ ଚଲାଇବାକୁ ଲାଗିଲେ । କେବଳ ଏତିକି ନୁହେଁ, ସମସ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ, ସୁରକ୍ଷା ଗାର୍ଡ ଏବଂ ପିଏମାନଙ୍କ ଦ୍ୱାରା ନିଆଯାଉଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
କଂଗ୍ରେସର ଏକ ବଡ଼ ଚେହେରା ଭାବେ ପରିଚିତ ଗୁଲାମ ନବୀ ଦଳର ଅସନ୍ତୁଷ୍ଟ ଜି-୨୩ ଗୋଷ୍ଠୀର ଅନ୍ୟତମ ସଦସ୍ୟ ଥିଲେ । ନିକଟରେ ତାଙ୍କୁ ଦଳର ଜମ୍ମୁ-କାଶ୍ମୀର ସଞ୍ଚାଳନ କମିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ନିଯୁକ୍ତିର ତତକ୍ଷଣାତ୍ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଆଜାଦ ୨୦୨୦ରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ଆମୂଳଚୁଳ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଆଜାଦ କେନ୍ଦ୍ରମନ୍ତ୍ରୀ ସହ ବହୁ ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । ସେ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ଗୁଲାମ ନବୀଙ୍କ ଇସ୍ତଫା ସହ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି ।
