ମାଟିରେ ମିଶିଲା ଗୌଡ଼ବନ୍ଧ ବସ୍ତି
ବ୍ରହ୍ମପୁର : ମାଟିରେ ମିଶିଲା ଗୌଡ଼ବନ୍ଧ ବସ୍ତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତିକୁ ଉଚ୍ଛେଦ କରିଛି ବିଏମସି । ଗତକାଲି ବିଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । ଏହାପରେ ଆଜି ହଠାତ୍ ଆସି ଦୁଇଟି ଜେସିବି ଜରିଆରେ ସମସ୍ତ ଘରକୁ ଭାଙ୍ଗି ଦେଇଛନ୍ତି । ବସ୍ତିରେ ରହିଥିବା ୧୦୬ଟି ଘରକୁ ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇ ଦିଆଯାଇଛି । କୌଣସି ସମୟସୀମା ଦେଇନଥିବା ଯୋଗୁଁ ଘରେ ରହିଥିବା ଲକ୍ଷାଧିକ ଟଙ୍କାର ବିଭିନ୍ନ ଅସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ରାଜୀବ ଆବାସ ଯୋଜନାରେ ଯୋଗାଇ ଦିଆଯାଇଥିବା ଗୃହରେ ଗୋଟିଏ ପରିବାରର ୪ ଜଣରୁ ଅଧିକ ରହିବା ସମ୍ଭବପର ନୁହେଁ । ଏହାସହିତ ଅଗ୍ରୀମ ଟଙ୍କା ଦେଇ ଘର ନିଜ ନାମରେ କରିବା ସହିତ ସେଠାରେ ପାଣି ବିଲ, ଲାଇଟ ବିଲ ସହ ଅନ୍ୟାନ୍ୟ ଖର୍ଚ୍ଚ ଦେବା ବସ୍ତିବାସିନ୍ଦାଙ୍କ ନିମନ୍ତେ ଆଦୌ ସହଜସାଧ୍ୟ ନୁହେଁ । ତେଣୁ ବସ୍ତିରେ ଗୃହ ଭଙ୍ଗାଯାଇଥିଲେ ସୁଦ୍ଧା ବସ୍ତିରେ ହିଁ ଟେଣ୍ଟ ବାନ୍ଧି ରହିବୁ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ବସ୍ତି ଛାଡ଼ିବା ନିମନ୍ତେ ନୋଟିସ କରାଯାଇଥିଲା । ଗତ ବର୍ଷ ନୋଟିସ କରାଯିବା ପରେ ଉଚ୍ଛେଦ କରିବା ନିମନ୍ତେ ଉଦ୍ୟମ କରାଯିବା ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ବସ୍ତିବାସିନ୍ଦାଙ୍କ ନିମନ୍ତେ ପୂର୍ବରୁ ମଞ୍ଜୁର ହୋଇଥିବା ରାଜୀବ ଆବାସ ଯୋଜନାରେ ପ୍ରଦାନ କରାଯାଇଥିବା ଗୃହରେ ରହିବା ନିମନ୍ତେ କୁହାଯାଇଥିଲା । ତଥାପି ମଧ୍ୟ ବସ୍ତିବାସିନ୍ଦା ମାନେ ରାଜୀବ ଆବାସ କଲୋନୀକୁ ସ୍ଥାନାନ୍ତର ହୋଇନଥିଲେ । ଯାହାଫଳରେ ଆଜି ବାଧ୍ୟ ହୋଇ ବସ୍ତିକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି । ସମସ୍ତ ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ଯେଉଁମାନେ ଗୃହ ପାଇନଥିବା ସେମାନଙ୍କର ପୁଣି ଥରେ ସର୍ଭେ କରାଯାଇ ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ କମିଶନର । ସେପଟେ କୌଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ଧ୍ୟାନ ଦିଆଯାଇଥିଲା । ଦୁଇଟି ଅତିରିକ୍ତ ଏସପି, ଏସଡ଼ିପିଓ, ୫ ପ୍ଲାଟୁନ ପୋଲିସ ଫୋର୍ସ, ସହରରେ ରହିଥିବା ସମସ୍ତ ଥାନାର ଥାନା ଅଧିକାରୀଙ୍କ ସମେତ ୨୦ ଜଣ ଲେଖାଏଁ ଥାନା କର୍ମଚାରୀ ବସ୍ତିରେ ମୁତୟନ ରହିଥିଲେ ।
