ଆଜିଠୁ ମାଟ୍ରିକ ପରୀକ୍ଷା, ଫୋକସରେ କପି ରୋକିବା ନେଇ ସ୍ବତନ୍ତ୍ର ଷ୍ଟ୍ରାଟେଜି
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଗତ ବର୍ଷ ଗୁଡ଼ିକରେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଗଣଶିକ୍ଷା ବିଭାଗର ମୁଣ୍ତ ବିନ୍ଧାର କାରଣ ପାଲଟିଥିଲା । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ଓ କପି ରୋକିବାକୁ ପ୍ରାଥମିକତା ଦିଆଯାଇଛି । ଏନେଇ ସ୍ପେଶାଲ ସ୍କ୍ବାର୍ଡ଼ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୬୦୩ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଛନ୍ତି । ଏଥର ପ୍ରାୟ ୩ ହଜାର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମୋଟ ୩୧୬ଟି ନୋଡ଼ଲ ସେଣ୍ଟର କରାଯାଇଥିବା ବେଳେ ସେଥିମଧ୍ୟରୁ ୨୨ଟି ନୋଡ଼ାଲ ସେଣ୍ଚର ଥାନାରେ କରାଯାଇଛି। ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ହଲକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରୀକ୍ଷା ହଲକୁ କେବଳ ପେନ ଓ ଆଡ଼ମିଟ କାର୍ଡ଼ ନେଇପାରିବେ ପରିକ୍ଷାର୍ଥୀ । କପି ରୋକିବା ନେଇ ମୋଟ ୭୪ଟି ସ୍କ୍ବାର୍ଡ଼ ଗଠନ କରାଯାଇଥିବା ବେଳେ ସେଥିମଧ୍ଯରୁ ୩୬ଟି ସ୍କ୍ବାର୍ଡ଼ ବୋର୍ଡ଼ ପକ୍ଷରୁ ଗଠନ କରାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ଏହି ସ୍କ୍ବାର୍ଡ଼ ସପ୍ରାଇଜ ଭିଜିଟ କରିବେ । ତେବେ ପରୀକ୍ଷା କେନ୍ଦ୍ରରେ ଯେତେ ସମ୍ଭବ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାକୁ ସଠିକ୍ ଭାବେ ପରିଚାଳନ କରିବା ଲାଗି ମାଧ୍ଯମିକ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେଣ୍ଟର ସୁପରିଟେଣ୍ଟଙ୍କ ପାଖରେ ସମସ୍ତ ମୋବାଇଲ ଡ଼ିପୋଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପରୀକ୍ଷା ପରିଚାଳନା ଦ୍ବାୟିତ୍ବରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମଧ୍ଯ ପରୀକ୍ଷା ହଲକୁ ମୋବାଇଲ ନେବାକୁ ବାରଣ କରାଯାଇଥିବା ନେଇ ବୋର୍ଡ଼ ସଭାପତି ସୂଚନା ଦେଇଛନ୍ତି ।
ଖରାଦିନ ହେତୁ ବହୁ ସମୟରେ ବିଦ୍ୟୁତ କାଟ୍ ଭଳି ସମସ୍ୟା ଦେଖାଦେଇଥାଏ ତେବେ ପରୀକ୍ଷା ଚାଲିଥିବା ସମୟରେ ଯେପରି ବିଦ୍ୟୁତ କାଟ୍ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଚଳିତବର୍ଷ ସମେଟିଭ ୱାନରୁ ୪୦ ପ୍ରତିଶତ, ସମେଟିଭ- ଟୁ ୪୦ପ୍ରତିଶତ ଓ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ମାର୍କ ମିଶି ଏଥର ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ।
