ଆଜି ଠାରୁ ବିନା ଧାଡିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀବାସୀ
ପୁରୀ : ଆଜି ଠାରୁ ବିନା ଲାଇନରେ ଛିଡା ହୋଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ପୁରୀ ବାସୀ । ପୁରୀ ସହରବାସୀ ବିନା ଧାଡିରେ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କୋଭିଡ ଟିକାର ଡବଲ ଡୋଜ ରିପୋର୍ଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ଦେଖାଇ ପୈାରାଞ୍ଚଳ ବାସୀ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିପାରିବେ ।
କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଅବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ପୂର୍ବରୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ବାହାରୁ ଆସୁଥିବା ଭକ୍ତଙ୍କ ସହ ମିଶି ଲାଇନରେ ଯିବାର ନିୟମ ଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ଆଣିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ କିଛି ଦିନ ପୂର୍ବେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପୁରୀ ସହରବାସୀଙ୍କୁ ପ୍ରବେଶ ଅନୁମତି ଦେବା ପାଇଁ ଦାବି ଜୋର ଧରିଥିଲା। ତେବେ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ କୋହଳ କରାଯାଇଛି। ତେଣୁ ଆଜି ସକାଳୁ ପୁରୀ ସହରବାସୀ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବ ବିହ୍ବଳ ହୋଇଛନ୍ତି।
