ସ୍କ୍ରାପ୍ ବିକ୍ରିରେ ଠକେଇ : ଜଣେ ଗିରଫ
କଟକ : ସ୍କ୍ରାପ୍ ବିକ୍ରି କରିବା ଆଳରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକିନେଇଥିବା ଜଣେ ବ୍ୟକ୍ତିଙ୍କୁ ଜଗତପୁର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଆଏଣ୍ଡାର ସହଦେବ ଆଲାମ ଖାନ(୩୩) । ମିଳିଥିବା ସୂଚନା ଅନୁଯାୟୀ, ଆରଏସଏଲ ଓଭରସିଜ୍ ଏଲଏଲପିରେ ସେଲସମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲିପ କୁମାର ମଡକ ଗତ ୩୧ ତାରିଖରେ ୨୦ ଟନ୍ ସ୍କ୍ରାପ୍ ଜଗତପୁର ଦୀପକ ୱେ ବ୍ରିଜ୍ରୁ କିଣିଥିଲେ । ମାତ୍ର ରବିବାର ଥିବାରୁ ଟଙ୍କା ପୈଠ କରିପାରିନଥିଲେ । ପରଦିନ ୯ଟା ବେଳେ ଶ୍ରୀ ମଡକ ଦୀପକ ୱେ ବ୍ରିଜର ପରିଚାଳକଙ୍କ ପରାମର୍ଶ କ୍ରମେ ମଧ୍ୟସ୍ଥି ସହଦେବ ଆଲାମର ସହଯୋଗୀ ଜମସର୍ ଖାନଙ୍କୁ ୮ ଲକ୍ଷ ୧୩ ହଜାର ଟଙ୍କା ପୈଠ କରିଥିଲେ । ସହଦେବ ଆଲାମ ଜମସରଠାରୁ ଏହି ଟଙ୍କା ଜନୈକ ସପନ ମହାନ୍ତିଙ୍କ ମାଧ୍ୟମରେ ନେଇ ଏକ କାର୍ ଯୋଗେ ଫେରାର ହୋଇଯାଇଥିଲା । ମାତ୍ର ଗୋଦାମରୁ ସ୍କ୍ରାପ୍ ଟ୍ରକ ରିଲିଜ୍ ନ ହେବାରୁ ସେ ଗୋଦାମ ମାଲିକଙ୍କୁ ପଚାରିବା ପରେ ଟଙ୍କା ପୈଠ ହୋଇନଥିବାରୁ ଟ୍ରକ ଛଡାଯାଇନଥିବା ଜଣାପଡିଥିଲା । ଶ୍ରୀ ମଡକଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଗତକାଲି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
