ସରକାରୀ ଚାକିରୀ ନାଁରେ ଠକେଇ, ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ବର : ସରକାରୀ ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ । ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଫେକ୍ ସରକାରୀ ଲୋଗୋ ଲେଟର, ଲୋକସେବା ଭବନର ଫେକ୍ ସିଲ୍ ଜବତ କରିଛି । ଏଥିସହ ଭୁବନେଶ୍ଵରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ବମିଖାଲ ଅଞ୍ଚଳର ବିରଜା କମ୍ପ୍ଲେକ୍ସରୁ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଏବଂ ଅନ୍ୟତମ ଅଭିଯୁକ୍ତ ନୟାପଲ୍ଲୀର ରେଣ୍ଟାଲ କଲୋନୀର ଅରୁଣ ମହାନ୍ତିଙ୍କୁ ଗିରଫ କରାଯାଇଛି ।
ସୂଚନା ଯେ, ରାଜ୍ୟର ପ୍ରାୟ ୨ ଶହ ଯୁବକଯୁବତୀଙ୍କୁ ସରକାରୀ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଠକିଥିବା ଅଭିଯୋଗ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର କୁମୁଦିନୀ ସାହୁ ନାମକ ଯୁବତୀଙ୍କୁ ସରକାରୀ ଚାକିରି କରାଇ ଦେବାକୁ କହି ୮ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ, ଅରୁଣ ମହାନ୍ତି ଏବଂ ତୃତୀୟ ଅଭିଯୁକ୍ତ ଭବାନୀ ଶଙ୍କର ଦାସ । ତାଙ୍କୁ ଫେକ୍ ସରକାରୀ ଲୋଗୋ ଥିବା ଏକ ଲେଟର ଦେଇଥିଲେ । ପରବର୍ତ୍ତୀ ସମୟରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ ଅଭିଯୋଗକାରୀ । ରାଜ ଭବନରେ କ୍ଲର୍କ ଚାକିରି କରାଇଦେବାକୁ କହି ମାସକୁ ୩୪ହଜାର ଟଙ୍କା ଦରମା ବୋଲି କହିଥିଲେ ଅଭିଯୁକ୍ତମାନେ । ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକଙ୍କୁ ଅଭିଯୋଗକାରୀ ପ୍ରଥମେ ଦୁଇ ଲକ୍ଷ ଦେଇଥିଲେ ପରେ ଆଉ ଅବଶିଷ୍ଟ ଟଙ୍କା ଦେଇଥିଲେ । ଏହି ମାମଲାରେ ରାକେଟର ଅନ୍ୟ ସଦସ୍ୟଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଛି ।
