କରୋନାରେ ସଂକ୍ରମିତ ହେଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଲୋକସଭା ସାଂସଦ ଓ ଆଇପିଏଲ ଫ୍ରାଂଚାଇଜ ଲକ୍ଷ୍ନୌ ସୁପର ଜିଆଂଟ୍ସ ଟିମର ମେଂଟର ଗୌତମ ଗମ୍ଭୀର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡର ସାମାନ୍ୟ ଲକ୍ଷଣ ଅନୁଭବ ହେବାପରେ ମଙ୍ଗଳବାର ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜିଟିଭ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗମ୍ଭୀର । ଏଥିସହ ନିକଟରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।
ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଗମ୍ଭୀରଙ୍କ ପରିବାର ସଦସ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରିବାର ସଦସ୍ୟ ପଜିଟିଭ ଚିହ୍ନଟ ପରେ ଗମ୍ଭୀର ନିଜକୁ ଆଇସୋଲେଟ୍ କରିଥିଲେ । ଆଇପିଏଲ-୨୦୨୨ରେ ନୂଆ ଟିମ ଭାବେ ସାମିଲ ହେବାକୁ ଯାଉଥିବା ଲକ୍ଷ୍ନୌ ସୁପରଜିଆଂଟ୍ସର ମେଂଟର ନିଯୁକ୍ତ ହୋଇଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର । ଏଥିସହ ଆଣ୍ଡେ ଫ୍ଲାୱାରଙ୍କୁ ଲକ୍ଷ୍ନୌ ଫ୍ରାଂଚାଇଜ ମୁଖ୍ୟ କୋଚ୍ ନିଯୁକ୍ତ କରିଛି ।
