ସିଏମସି ପକ୍ଷରୁ ଜବର ଦଖଲ ଉଚ୍ଛେଦ
କଟକ : କଟକ ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥ କଡରେ ଗଢିଉଠିଥିବା ବେଆଇନ ନିର୍ମାଣକୁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଭାଙ୍ଗିଦିଆଯାଇଛି । ଆଜି ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରେସଛକଠାରୁ କଲ୍ୟାଣୀନଗର ନିକଟ ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ଜବରଦଖଲ ମୁକ୍ତ କରାଯାଇଛି । ୬୦ରୁ ୮୦ ଉଠାଦୋକାନକୁ ଭାଙ୍ଗିଦିଆଯାଇଛି ବୋଲି ସିଏମସି ଡେପୁଟି କମିଶନର ତଥା ଏନଫୋର୍ସମେଣ୍ଟ ଅଧିକାରୀ ଅଜୟ ମହାନ୍ତି କହିଛନ୍ତି । ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହାୟତାରେ ଏହି ଉଚ୍ଛେଦ କରାଯାଇଥିଲା । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀଙ୍କ ସମେତ ସିଏମସି ଓ ସିଡିଏ ଅଧିକାରୀ, ମଧୁପାଟଣା ଥାନା ଅଧିକାରୀ ଏବଂ ଟ୍ରାଫିକ ଥାନା ଅଧିକାରୀ ଏହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିଲା ବେଳେ ସିଏମସି ଡେପୁଟି କମିଶନର ଶ୍ରୀ ମହାନ୍ତି ଏହାର ନେତୃତ୍ୱ ନେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ବୁଧବାର ସିଏମସି ପକ୍ଷରୁ ଶିଖରପୁରରୁ ଯୋବ୍ରା ପର୍ଯ୍ୟନ୍ତ ରିଙ୍ଗରୋଡ ପାଶ୍ୱର୍ର୍ରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା ।
