ନୂଆବର୍ଷ ପାଇଁ ହୋଟେଲ ଓ ଲଜିଂ ଭଡ଼ା ଚାରିଗୁଣା, କୁମ୍ଭକର୍ଣ୍ଣ ନିଦ୍ରାରେ ପୌରସଂସ୍ଥା
ପୁୁରୀ : ବିଶ୍ୱସ୍ତରୀୟ ଐତିହ୍ୟ ସହର ପୁରୀ । ଜାତୀୟ ରାଜପଥ ବଡ଼ଦାଣ୍ଡରେ ବାଟରେ ବସୁଛି ହାଟ । ନୂଆବର୍ଷ ପାଇଁ ବଡ଼ଦାଣ୍ଡ,ସମୁଦ୍ରକୂଳ ଓ ସାହି ଗଳିକନ୍ଦିରେ ହୋଟେଲ ଓ ଲଜିଂର ରୁମ୍ ରେଟ୍ ଚାରିଗୁଣା ବଢି ଯାଇଛି । ତିନି ଦିନିଆ ପ୍ୟାକେଜ୍ କରାଯାଇ ଗୋଟିଏ ଦିନ ରହିଲେ ମଧ୍ୟ ତିନି ଦିନର ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଅତି ଚତୁରତାର ସହ କେତେକ ହୋଟେଲ ଓ ଲଜିଂରେ ଅନ୍ଲାଇନ ବୁକିଂ କରାଯାଇ ସ୍ପଟ ବୁକିଂ କରାଯାଉଛି ।
ପର୍ଯ୍ୟଟକ ବିଭିନ୍ନ ହୋଟେଲରେ ବୁଲି ବୁଲି ହତାଶ ହେବା ପରେ ଯେଉଁଠାରେ ମିଳୁଛି ସେଠାରେ ଅଧିକ ଦର ଦେଇ ରୁମ୍ ବୁକିଂ କରିବାକୁ ବାଧ୍ୟ ହେଉଛନ୍ତି । ଅନେକ ହୋଟେଲରେ ଚାରିଚକିଆ ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ନଥିଲା ବେଳେ ବଡ଼ଦାଣ୍ଡ ଓ ସମୁଦ୍ରକୂଳକୁ ପାର୍କିଂ ଗ୍ୟାରେଜ କରାଯାଉଛି । ଅନେକ ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ । ହୋଟେଲ ଗୁଡ଼ିକ ପର୍ଯ୍ୟଟକଙ୍କୁ ଶୋଷଣ କରୁଥିବା ବେଳେ ମନ୍ଦିରରୁ ମହାପ୍ରସାଦ ଯୋଗାଣ,ଚିଲିକା ବୁଲାଇ ନେବା ପାଇଁ ବୁକିଂରେ ମଧ୍ୟ ଅଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହେଉଛି । ରୁମ୍ରେ ଦୁଇଜଣ ବ୍ୟକ୍ତିରୁ ଅଧିକ ରହିଲେ ଅଧିକ ଚାର୍ଜ ନେଉଛନ୍ତି । ଏହାସହ ଅଧିକ ରୁମ୍ ବୁକିଂ କରିବା ପାଇଁ ବାଧ୍ୟ କରାଯାଉଛି । ପର୍ଯ୍ୟଟକମାନେ ପୁରୀକୁ ଆସି ଖୁସିରେ ଫେରନ୍ତୁ ବୋଲି ରାଜ୍ୟ ସରକାର ଯେତେ ବ୍ୟବସ୍ଥା କରୁଥିଲେ ମଧ୍ୟ ଫଳ ଓଲଟା ମିଳୁଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ପୌରସଂସ୍ଥା ହୋଟେଲ ଓ ଲଜିଂରୁ ରୁମ୍ ପିଛା ଟ୍ୟାକ୍ସ ନେଉନଥିବା ବେଳେ ଚଢଉ ହେଉନଥିବାରୁ ହୋଟେଲ ଓ ଲଜିଂ ମାଲିକମାନେ ମାଲେମାଲ ହେଉଛନ୍ତି । ବିଟ୍ରିଶ ଅମଳରୁ ପୁରୀ ଲଜିଂ ହାଉସ ଫଣ୍ଡ କେନ୍ଦ୍ରୀୟ ଅରଇନ ଅନୁସାରେ କରାଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ଭଙ୍ଗି ପୁରୀ ପୌରସଂସ୍ଥାରେ ମିଶାଇ ଦେଇଛନ୍ତି । ଲଜିଂ ହାଉସ ଫଣ୍ଡ ପ୍ରତିବର୍ଷ ହୋଟେଲ ତଦାରଖ କରିବା ସହ ଦର ଧାର୍ଯ୍ୟ କରି ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସୁବିଧାରେ ରଖିବା ପାଇଁ ପରାମର୍ଶ ଦେଉଥିଲେ । ଏବେ ପୌରସଂସ୍ଥା ଟିମ୍ ଚେକିଂ ନକରି ଅନ୍ୟ ବ୍ୟବସ୍ଥା କରୁଥିବାରୁ ହୋଟେଲ ମାଲିକ ମନଇଚ୍ଛା ଦର ନେବା ପାଇଁ ସାହାସ କରୁଛନ୍ତି ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରୁଛନ୍ତି ।
