‘ସିଆରପିଏଫ୍’ର ପ୍ରଥମ ଥର ପାଇଁ ମହିଳା କମାଣ୍ଡୋ ବାହିନୀ ପ୍ରସ୍ତୁତ
ନୂଆଦିଲ୍ଲୀ: ଦେଶରେ ଭିଆଇପିମାନଙ୍କର ସୁରକ୍ଷାକୁ ମଜବୁତ କରିବା ପାଇଁ ‘ସିଆରପିଏଫ୍’ ପ୍ରଥମ ଥର ପାଇଁ ମହିଳା କମାଣ୍ଡୋ ବାହିନୀ ପ୍ରସ୍ତୁତ କରିଛି । ଏହି କଣ୍ଟିଜେଣ୍ଟରେ ସମୁଦାୟ ୩୨ ମହିଳା କମାଣ୍ଡୋ ଅଛନ୍ତି । ଯେଉଁମାନେ ଶୀଘ୍ର ଜେଡ୍ + ଭିଆଇପି ସୁରକ୍ଷା ଅଧୀନରେ ନିୟୋଜିତ ହେବେ । ସୂଚନାନୁସାରେ, ‘ସିଆରପିଏଫ୍’ର ଏହି ମହିଳା କମାଣ୍ଡୋମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଏକାଧିକ ଡିୟୁଟିରେ ଥିବା ଅନ୍ୟାନ୍ୟ ହାଇ-ରିସ୍କ୍ ବ୍ୟକ୍ତିମାନଙ୍କ ସୁରକ୍ଷା ଲାଗି ମୁତୟନ ହେବେ । ସେ ଛାୟା ପରି ଏହି ସେଲିବ୍ରିଟିମାନଙ୍କ ସହିତ ଉପସ୍ଥିତ ରହି ସେମାନଙ୍କୁ ସୁରକ୍ଷା ଦେବେ । ଏହାସହିତ ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେହି ଭିଆଇପିମାନଙ୍କର ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ ।
ସୂତ୍ରରୁ ପ୍ରକାଶଯେ, ଏହି ମହିଳା କମାଣ୍ଡୋମାନେ ଭିଆଇପି ସୁରକ୍ଷା ଡ୍ୟୁଟି, ଅସ୍ତ୍ରଶସ୍ତ୍ର ଯୁଦ୍ଧ, ଜାମା ସର୍ଚ୍ଚ ଏବଂ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇବା ଉପରେ ସେମାନଙ୍କର ୧୦ ସପ୍ତାହ ତାଲିମ ସମାପ୍ତ କରିଛନ୍ତି । ବର୍ତ୍ତମାନ ସେମାନେ ଜାନୁଆରୀରେ କିଛି ସମୟ ନିୟୋଜିତ ହେବେ । ସେ କହିଛନ୍ତିଯେ, ପ୍ରାରମ୍ଭିକ ଭାବେ ସେମାନେ ଦିଲ୍ଲୀରେ ଜେଡ୍+ ବର୍ଗର ସୁରକ୍ଷା ପାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ସନ୍ତାନସନ୍ତତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ତାଙ୍କ ପତ୍ନୀ ଗୁରଶରଣ କୌରଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ।
